Unknown

ବାଣା ପରାଜୟ

ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

(ଇନ୍ଦ୍ର, ବାଣା, ନାରଦ)

ଇନ୍ଦ୍ର

-

ଦେବଗଣେ ! ଏଡ଼ିକି ନିର୍ବୋଧ ତୁମ୍ଭେ ଏଡ଼େ ଭୟାତୁର ସାମାନ୍ୟ ଦୈତ୍ୟର ଭୟେ

ପଳାଇଲ ଛାଡ଼ି ସ୍ୱର୍ଗପୁର

ପଥେ ଯେବେ ବାଣାସୁର ହେବ ତୁମ୍ଭ ଭେଟ

ତହିଁ କି କରିବ ? କେଣେ ଯିବ

ଭାବୁ ନାହିଁତିଳେ

ଯେଉଁ ବଳି ଛଳି ପ୍ରଭୁ ବାମନ ରୂପେଣ

ଯେଉଁ ବଳି ଛଳି ପ୍ରଭୁ ମୋହିନୀର ବେଶେ

ଦେଇଥିଲେ ଦେବଗଣେ ଅମୃତର ଭାଣ୍ଡ

ଏ ତ ସେହି ବଳିପୁତ୍ର

ଭୟ ତାକୁ କିମ୍ପା ଏତେ,

ଥିବେ ଯେବେ ଆମ୍ଭ ସାହା ଲକ୍ଷ୍ମୀନାରାୟଣ

କି କରିବ ଛାର ଦୈତ୍ୟ ଗୋଟା ।

 

ବାଣା

-

(ପ୍ରବେଶି) ତୁହି ଏକା ଭାବିଛୁରେ ମୂର୍ଖ,

ତୁହି ଏକା ଜ୍ଞାନୀ ଅଟୁ ଏ ଅମର ପୁରେ ନିର୍ବୋଧ ନିର୍ଲ୍ଲଜ !

ଜାଣୁ ବାଣାସୁର ପରାକ୍ରମ କେତେ ।

 

ଇନ୍ଦ୍ର

-

ଜାଣିଛିରେ ମୂର୍ଖ !

ତୁ ତ କାଲିକା ମେଞ୍ଚଡ଼ା

ପିତା ତୋର ମୋର ସଙ୍ଗେ କରି ରଣ ଦିନେ ।

କି ଯଶା ଲଭିଛି ମୂର୍ଖ ଜାଣି ନାହୁଁ ତୁହି

ଇଚ୍ଛା ଯେବେ ବୁଝିବାକୁ ତାହା

ଜନନୀକୁ ପୁଚ୍ଛିବୁ ଯା ଘରେ ।

 

ବାଣା

-

ବାସବ ! ପୁଚ୍ଛିବାରେ ନାହିଁ ପ୍ରୟୋଜନ

ସତ୍ୟ ଯେବେ ପିତାଙ୍କୁ ମୋ କରିଛୁ ପରାସ୍ତ

ସତ୍ୟ ଯେବେ ବଳିଠାରୁ ବଳବାନ ତୁହି

କର ତେବେ ରଣ ମୋର ସଙ୍ଗେ ଆଜି

ବୃଥା କିମ୍ପା ବଖାଣୁ ବଡ଼ିମା

ଶୁଣିବାକୁ ଇଚ୍ଛେ ନାହିଁ ତାହା ।

 

ଇନ୍ଦ୍ର

-

ମର୍ମକଥା ଫେଡ଼ିଦେଲେ ଲୋକମାନଙ୍କର

ସର୍ମପାଇ ଯାଆନ୍ତି ଝାଉଁଳି, କିନ୍ତୁ ତୁ ନିର୍ଲ୍ଲଜ,

ଲଜ୍ଜା ଯେବେ ଥାଆନ୍ତାରେ ତୋତେ

ପୁ ଯୁଦ୍ଧେ କରନ୍ତୁ କି ଆଶା ?

ଦୁରାଚାର ପିତାକୁ ତୋ କରି ଖଣ୍ଡ ଖଣ୍ଡ

ନିକ୍ଷେପିଲି କୂପ ମଧ୍ୟେ ଏହି ବାହୁ ଦ୍ୱୟେ

ତୁ କିସ ପ୍ରତିଜ୍ଞା କରୁ ଯୁଝିବୁ ମୋ ସଙ୍ଗେ !

 

ବାଣା

-

ଅସହ୍ୟ ତୋ କଥା ରକ୍ଷା ଆଉ ନାହିଁ ତୋତେ

ନିର୍ଲ୍ଲଜ ତୁ ନାରୀଚୋର ହରି ଗୁରୁ ପତ୍ନୀ

କି ଯଶ ଲଭିଛୁ ମୂର୍ଖ ନାହିଁ କି ସ୍ମରଣ

କେ କହେ ତୋତେ ବୀର

କେ ଗଣେ ଯୋଦ୍ଧା ବୋଲି ତୋତେ

ପ୍ରଭଞ୍ଜନେ ପରା ମାତୃ ଗର୍ଭେ ପଶି

କରିଥିଲୁ ଅଣଚାଶ ଖଣ୍ଡ

ତହିଁରେ ଲଭିଲୁ କି ଯଶ

ଅଛି ତ ସ୍ମରଣ ମୂର୍ଖ ?

ପ୍ରୟୋଜନ ନାହିଁ ବୃଥା ବାକ୍ୟାଳାପେ

ହରଗୌରୀ ପ୍ରସାଦରୁ

ମହା ଶକ୍ତିବାନ ମୁହିଁ

ନାହିଁ ଏ ବିଶ୍ୱ ଭୁବନେ ଜଣେ କେହି ଯୋଦ୍ଧା

ହେବ ମୋର ସମକକ୍ଷ

ତୁ ଛାର ଦର୍ପାନ୍ଧ ଇନ୍ଦ୍ର

କି ଟାଣ ଦେଖାଉ ମୋତେ

ଏକାବାଣେ ଖଣ୍ଡ ଖଣ୍ଡ କରିବି ତୋ ପିଣ୍ଡ ।

ଧର ଅସ୍ତ୍ର ବିଳମ୍ବରେ ନାହିଁ ପ୍ରୟୋଜନ ।

 

ଇନ୍ଦ୍ର

-

ପ୍ରସ୍ତୁତ ମୁଁ (ଉଭୟଙ୍କ ଯୁଦ୍ଧରେ ଇନ୍ଦ୍ର ପରାସ୍ତ)

ବାଣା

-

କହ, ବାସବ ବର୍ତ୍ତମାନ କେଣେ ଯିବୁ, ଦେବାଧମ, ତୋ ପରି ନିକୃଷ୍ଟ ଜୀବକୁ ମାରିବା ମୋର କର୍ତ୍ତବ୍ୟ ନୁହେଁ । ତୁ ମୋ ହସ୍ତରେ ସମ୍ପୂର୍ଣ୍ଣ ରୂପେ ପରାଜିତ ହୋଇଛୁ । ତେବେ କହ ଏ ବିଶ୍ୱ ଭୁବନେ ମୋ ସମାସ୍କନ୍ଧ ଯୋଦ୍ଧା କିଏ ଅଛି ।

ଇନ୍ଦ୍ର

-

ଇନ୍ଦ୍ର ତୋ ନିକଟରେ ପରାଜିତ ହୋଇଛି ଏହା କେଭେ ନୁହେଁ । ଇନ୍ଦ୍ର ତୋ ପରି ଶତ ଶତ ବୀରଙ୍କ ଦର୍ପ ଚୂର୍ଣ୍ଣକରିଛି, ତୁ ଥରେ ମାତ୍ର ଯଶସ୍ୱୀ ହୋଇଛୁ ବୋଲି ମନେ ମନେ ବଡ଼ ହୋଇଛୁ, କିନ୍ତୁ ସେ ଧାରଣା ତୋର ବୃଥା ।

ବାଣା

-

ଦେବାଧମେ ! ଉପଯୁକ୍ତ ଶାସ୍ତି ହୋଇନାହିଁ ତୋତେ, ଦେଖିଲୁ ଏ କାହାର ତ୍ରିଶୂଳ, ପାରିବୁ କି ବର୍ତ୍ତି ଏହାଠାରୁ ।

ଇନ୍ଦ୍ର

-

କି ତ୍ରିଶୂଳ ଦେଖାଉଛୁ ମୋତେ ।

 

-

ବଜ୍ରାଘାତେ ମୁଣ୍ଡ ତୋର କରିବି ମୁଁ ଚୂର୍ଣ୍ଣ ।

ବାଣା

-

ଧର ଅସ୍ତ୍ର ?

ଇନ୍ଦ୍ର

-

କର ରଣ (ପୁନଃ ଯୁଦ୍ଧେ ଇନ୍ଦ୍ର ପରାସ୍ତ ହେବାରୁ)

ନାରଦ

-

(ପ୍ରବେଶ) କ୍ଷାନ୍ତହୁଅ ରକ୍ଷ ଶୀରୋମଣି

ତୋର ସମ ଯୋଦ୍ଧା

କେହି ନାହିଁ ଏ ସାରା ସୃଷ୍ଟିରେ ।

ବାଣା

-

ଦେବର୍ଷି ! କିମ୍ପା ଦିଅ ମୋତେ ବାଧା

ନିଶ୍ଚେ ଆଜି ଇନ୍ଦ୍ର ଦର୍ପ କରିବି ମୁଁ ଚୂର୍ଣ୍ଣ ।

ନାରଦ

-

 

ଇନ୍ଦ୍ରଠାରୁ ମହାବଳବାନ ତୁହି

ତାର ସଙ୍ଗେ ଯୁଦ୍ଧ ତୋତେ ନ ସାଜେରେ ବୀର ।

ଅଛି ଯେବେ ପରାକ୍ରମ ତୋର

ଅଛି ଯେବେ ବୀର ତେଜ ହୃଦେ

ଯାଇ ତୁହି ଏକ୍ଷଣି ଦ୍ୱାରିକା

କୃଷ୍ଣ ସଙ୍ଗେ କରରେ ସମର ।

 

ବାଣା

-

କୃଷ୍ଣ କଣ ମୋର ସମଯୋଦ୍ଧା ?

ବିଶ୍ୱାସ ମୋ ହେଉନାହିଁ ମନେ

କଂସ ଡରେ ଯେହୁ ନନ୍ଦ ଘରେ ରହି

ଗୋବତ୍ସାଦି ରଖୁଥିଲା ବନେ

ସେ କି ଜାଣେ ଯୁଦ୍ଧର କୌଶଳ ।

ଦେବର୍ଷେ !

କହ କିମ୍ପା ଅସମ୍ଭବ କଥା ।

 

ନାରଦ

-

ଯାଅ ଯେବେ କୈଳାସ କନ୍ଦରେ

ପୁଚ୍ଛିବୁ ତୋ ଇଷ୍ଟ ଦେବତାଙ୍କୁ ।

ବାଣା

-

ମେଲାଣି ଘେନୁଛି ମୁଁ ! ଏ ମୁହୂର୍ତ୍ତେ ଯିବି କଇଳାସ । (ପ୍ରସ୍ଥାନ)

ଇନ୍ଦ୍ର

-

ଦେବର୍ଷେ ! କି ଲଜ୍ଜା !! କି ଅପମାନ !!!

ନାରଦ

-

ଦେବେନ୍ଦ୍ର । ବାଣାସୁର ମହାଶକ୍ତିବାନ ବିଷ୍ଣୁ ବିନା କେହି ତାକୁ ନ ଜିଣିବେ ଯୁଦ୍ଧେ । ଚାଲଯିବା ସଦନକୁ ଫେରି ।

 

ଦ୍ୱିତୀୟ ଦୃଶ୍ୟ

(ଶିବ, ପାର୍ବତୀ, ବାଣା)

ଶିବ

-

ଦୁର୍ବୁତ୍ତ ବାଣାସୁର ତୋର ଏତେ ଆସ୍ପର୍ଦ୍ଧା, ଏତେ ଦର୍ପ, ତୁ ମୋର ବଳରେ ବଳିୟାନ ହୋଇ ଅହଙ୍କାରେ ଜ୍ଞାନଶୂନ୍ୟ ହୋଇଛୁ । ଆରେରେ ଦର୍ପାନ୍ଧ ମୂଢ଼ ବିଶ୍ୱ ସଂହାରକ, ମହାକାଳ ସହିତ ସଂଗ୍ରାମ ଇଚ୍ଛା କରିଛୁ । ମୂର୍ଖ ! ନିଶ୍ଚେ ତୋର ଗର୍ବ ଚୂର୍ଣ୍ଣ କରିବି । ନିଶ୍ଚେ ତୋର ବଳବୀର୍ଯ୍ୟ ହରଣ କରିବି, ଦେଖିବି କେ ତୋତେ ରକ୍ଷା କରିବ ।

ପାର୍ବତୀ

-

ଆଶ୍ଚର୍ଯ୍ୟ । ଏ କି ଭୟଙ୍କର ମୂର୍ତ୍ତି । ନାଥ ! ନାଥ ! କାହାଠାରେ ଏତେ ରୋଷ ।

 

 

(ଗୀତ)

ଜୀବେଶ ହେ ! ବହିଛ କା’ଠାରେ ରୋଷ । ପଦ।

କେ ତବ ସଙ୍ଗେ ବାଦ      କଲାକି ଦେବ ଦେବ

କାର ଦେଖିଲ କିବା ଦୋଷ ।୧।

ମନ ଫେଡ଼ ମୋ ଆଗେ      କହହେ ନାଥ ବେଗେ

ଶୁଣିଲେ ହୋଇବି ସନ୍ତୋଷ ।୨।

 

 

-

ନାଥ ! ଅକସ୍ମାତ ଉଗ୍ରମୂର୍ତ୍ତି ଧାରଣ କରିବାର କାରଣ କଣ ?

ମହାଦେବ

-

ପ୍ରିୟେ ! କଣ କରିବି ? ସେ ପାପମତି ବାଣାସୁର ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ତ୍ରିଭୁବନ ଜୟ କରି ତହିଁରେ ତୃପ୍ତ ନ ହୋଇ ଗୋଲକ ବିହାରି ଶ୍ରୀକୃଷ୍ଣଙ୍କ ସହିତ ସମର କରିବା ଦୃଢ଼ ଅଭିଳାଷ କରିଛି । ମୁଁ ନିଶ୍ଚୟ ଜାଣିଲିଣି ମୂର୍ଖର ଅନ୍ତିମ ସମୟ ନିକଟ ହୋଇଗଲାଣି, ଆଉ ତା ସହିତ ମୋର କିଛି ସମ୍ପର୍କ ନାହିଁ !

ଗୌରୀ

-

ନାଥ ! ସେଟା ତାର ଭ୍ରମ, ତାକୁ କ୍ଷମା ଦିଅନ୍ତୁ । ସନ୍ତାନ ଯେବେ କୌଣସି ଅନୀତି କାର୍ଯ୍ୟ ଭୁଲବଶତଃ କରେ ତେବେ ପିତା କ୍ଷମା ଦେବା ଉଚିତ । ନାଥ ମୋର କାର୍ତ୍ତିକ ଓ ଗଣେଶ ଯେପରି ଆଦରର ପାତ୍ର ବାଣା ମଧ୍ୟ ତଦୃପ ।

ଶିବ

-

ଭଦ୍ରେ ! ଗଣେଶ କି କାର୍ତ୍ତିକ ଯଦି ଗୁରୁତର ଅପରାଧ କରନ୍ତି ତେବେ ତାଙ୍କୁ ଶାସନ କରା କଣ ଉଚିତ ନୁହେଁ ?

ଗୌରୀ

-

ତା ଉଚିତ, କିନ୍ତୁ ବାଣା ମୋର ସ୍ନେହର ଧନ । ଯେପରି ତାର କୌଣସି ଗୁରୁତର ବାଧା ନ ହୁଏ ସେ ପ୍ରତି ଦୃଷ୍ଟି ଦେବେ ।

ଶିବ

-

ପ୍ରିୟେ ! ତାର ଜୀବନ ଦଣ୍ଡ କରିବି ନାହିଁ, କିନ୍ତୁ ସମ୍ପୂର୍ଣ୍ଣ ରୂପେ ତାର ଗର୍ବ ଖର୍ବ କରିବି ।

ଗୌରୀ

-

ନାଥ ! ଏ କାର୍ଯ୍ୟ କ’ଣ ଭଲ ମନେ କରିଛନ୍ତି, ତାର ଦର୍ପକୁ ଆପଣ ନିଜେ ବର୍ଦ୍ଧିତ କରିଛନ୍ତି, ପୁଣି ନିଜେ ଅପହରଣ କରିବେ ଏହା ଉଚିତ ନୁହେଁ । ଏହିବାର କ୍ଷମା ଦିଅନ୍ତୁ, ସେ ଏଥର ସତର୍କ ହେବ ।

ଶିବ

-

ଦୁର୍ଗେ ! ତୁମ୍ଭର ଅନୁରୋଧ ରକ୍ଷାକରି ବାଣାକୁ କ୍ଷମା ଦେଲି । ପୁନରାୟ ସେ ଯଦି କୌଣସି କୁକାର୍ଯ୍ୟ କରେ ତେବେ ତାର ପରାଭବ ନିଶ୍ଚୟ ଦେବି । ତୁମ୍ଭେ ବାଣାକୁ ସତର୍କ କରିଦେବ ଏଇ ତ ସେ ଆସୁଛି ।

ବାଣା

-

(ପ୍ରବେଶି) ଆହା ମୋର ପ୍ରଭୁ କୈଳାଶ କନ୍ଦରେ ଭଗବତୀ ଉମାଦେବୀଙ୍କ ସହିତ ବିରାଜମାନ ହୋଇଛନ୍ତି ।

 

-

 

ଜୟ ଶିବ ଶମ୍ଭୁ ! ଜୟ ଶିବ ଶମ୍ଭୁ ! ଜୟ ଶିବ ଶମ୍ଭୁ !

(ଆଣ୍ଠୁମାଡ଼ି ସ୍ତବ)

ଗଙ୍ଗାଧର ହର ମମ ଦୁର୍ଗତୀ

ହର ଶିବ ଶିବ ଶଙ୍କର ବଂ ବଂ ଭୋଳା ।

ଡିବି ଡିବି ଡମ୍ବରୁ ଡିବି ଡିବି ଡମ୍ବରୁ

ଡିବି ଡିବି ଡମ୍ବରୁ ବାଜେ ତୋ ସାରା ।

କୈଳାସ ଶିଖରେ କର ନିତି ବାସ,

ବୃଷଭ ବାହାନେ ସଦା ତବ ଆସ,

ଭଷ୍ମ ବିଭୁଷିତ ଦକ୍ଷ ଦୁଲଣା କାନ୍ତ

ବ୍ୟାଘ୍ର ଛାଲ ପଟ ଗଳେ ହାଡ଼ମାଳା ।

 

ଦୁର୍ଗା

-

ବତ୍ସ ! ତ୍ରୈଲୋକ ବିଜୟୀ ହୁଅ ।

ବାଣା

-

ମା କୃପାମୟୀ ! ମୋତେ ଏପରି ଆଶୀର୍ବାଦ କରିବେ ନାହିଁ । ମୋତେ ବର୍ତ୍ତମାନ କଲ୍ୟାଣ କରନ୍ତୁ ଯେପରି ମୁଁ କୌଣସି ମହାବୀର ଦ୍ୱାରା ପରାଜିତ ହୁଏଁ ।

ଦୁର୍ଗା

-

ବତ୍ସ ! ଏ କି ଆଶ୍ଚର୍ଯ୍ୟ କଥା, ନିଜ ମୁଖେ ନିଜର ପରାଜୟ ସ୍ୱୀକାର କରିବା ତାତ୍ପର୍ଯ୍ୟ କ’ଣ ?

ବାଣା

-

ନା ମା !

ଶିବ

-

ବତ୍ସ କେଉଁ ଯୋଦ୍ଧାଦ୍ୱାରା ତୋର ମାନହାନି ହୋଇଛି ?

ବାଣା

-

ପ୍ରଭୁ ! ଯେତେବେଳେ ଏ ଦାସ ହର ଗୌରୀଙ୍କର ଚରଣାଶ୍ରିତ କିଙ୍କର ତେତେବେଳେ ତାର ମାନହାନି କରିବା ବୀର ଜଗତରେ କେହି ନାହିଁ ।

ଶିବ

-

ବତ୍ସ ! ପ୍ରକୃତରେ ଏ ତ୍ରିଭୁବନରେ ତୋ ସମ ବୀର କେହି ନାହିଁ ।

ବାଣା

-

ପ୍ରଭୋ ! ତେବେ ଅକାରଣେ ଏ ବୃଥା ବଳ ବୀର୍ଯ୍ୟରେ ପ୍ରୟୋଜନ କଣ ?

ଶିବ

-

ତେବେ ବର୍ତ୍ତମାନ ତୋର କଣ ଇଚ୍ଛା ? ପରାଜୟ ?

ବାଣା

-

ପ୍ରଭୁ ! ମୋର ଅନ୍ୟ କିଛି ଇଚ୍ଛା ନାହିଁ, କେବଳ ମୋର ସମାସ୍କନ୍ଧଯୋଦ୍ଧା ଦିଅନ୍ତୁ ଯଦ୍ୱାରା ମୋର ମନରସାଧ ମେଣ୍ଟିବ ।

ଶିବ

-

ବାପା ମୁଁ ଥରେ କହିଲି ତୋ ସମ କ୍ଷତ୍ରୀ କେହି ନାହିଁ । ତୁ ମୋର ବରରେ ତ୍ରିଭୁବନ ବିଜୟୀ ହୋଇଛୁ ।

ବାଣା

-

ତେବେ, ଏ ଭୃତ୍ୟ ସଙ୍ଗରେ ଆପଣ ନିଜେ ରଣବର୍ତ୍ତି ହୁଅନ୍ତୁ ।

ଶିବ

-

ପ୍ରିୟତମେ ଶୁଣିଲ ତ ବାଣାର ବଚନ ? ମୋର ବର ଦେବାର ବାହାରିଲା ଫଳ । ବାଣା ! ତୁ ମୋର ବରରେ ତ୍ରିଲୋକ ବିଜୟୀ ହେଲୁ, ବର୍ତ୍ତମାନ ମୋ ସହିତ ସଂଗ୍ରାମ କାମନା କରିବା କ’ଣ ନ୍ୟାୟ ସଙ୍ଗତ ?

ବାଣା

-

ନା, କିଛି ଅନ୍ୟାୟ ନୁହେଁ । ମୁଁ ଆପଣଙ୍କୁ ଯୁଦ୍ଧରେ ବଳିଲେ ମୋର ଆଉ କାହାରିକୁ ଭୟ ନ ଥିବ, ନଚେତ୍ ପରିଷ୍କାର କୁହନ୍ତୁ, ମୋର ସମସ୍କନ୍ଧ ଯୋଦ୍ଧା କିଏ ? ତା ସହିତ ମୁଁ ଯୁଦ୍ଧ କରି ମନର ସାଧ ମେଣ୍ଟାଇବି ।

ଶିବ

-

ବତ୍ସ ବାଣା ! ଅଚିରେ ତୋର ଅଭିଳାଷ ପୂର୍ଣ୍ଣ ହେବ । ଯା, ଏହି ଅଳ୍ପ ଦିନ ମଧ୍ୟରେ ଶ୍ରୀଗୋଲକ ବିହାରି ଶ୍ରୀକୃଷ୍ଣଙ୍କ ସହିତ ତୋର ସମର କାମନା ମେଣ୍ଟିବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

ବାଣା

-

ପ୍ରଭୁ ଉମାକାନ୍ତ ! ମା ଭଗବତି ! ଏ ଅଧମ ସନ୍ତାନ ପ୍ରତି ଦୟା ରଖିଥିବ । ଅଧୀନ ମେଲାଣି ଘେନୁଛି ।

 

-

(ପ୍ରଣାମାନ୍ତର ପ୍ରସ୍ଥାନ)

ଶିବ

-

ଦେବୀ ! ତୁମ୍ଭେ ମାୟାକାମିନୀମାନଙ୍କୁ ଆଜ୍ଞା ଦିଅ, ସେମାନେ ପଦ୍ମନର ପୁତ୍ର ଅନିରୁଦ୍ଧକୁ ବାଣାକନ୍ୟା ଉଷା ସହିତ ଗୁପ୍ତ ମିଳନ କରାନ୍ତୁ । ତଦ୍ୱାରା ଶ୍ରୀକୃଷ୍ଣ ସହିତ ବାଣାର ସନ୍ନିକଟରେ ଯୁଦ୍ଧ ହୋଇଯିବ ଓ ତାର ଗର୍ବ ଖର୍ବ ହେବ ।

 

-

[ପ୍ରସ୍ଥାନ]

 

ତୃତୀୟ ଦୃଶ୍ୟ

 

 

ମାୟା କାମନୀ-ଗୀତ

ମାୟାରେ ମୋହି ପାରୁ ଜଗତ ।

ଦେଖ ମାୟା ବଡ଼ ଅଦ୍ଭୁତ ।

ମାୟାରେ ହସାଉ            ମାୟାରେ କନ୍ଦାଉ

ମାୟାରେ ଜନମନ            ଇସିତେ ଭୁଲାଉ

ମାୟାରେ କେ ନ ପାଏ ଅନ୍ତ ।୧।

 

 

-

(ଦୁର୍ଗାପ୍ରତି) ମା, କି କାର୍ଯ୍ୟ ଆମ୍ଭମାନଙ୍କଦ୍ୱାରା ସାଧିତ ହେବ ସେ କଥା ପ୍ରକାଶ କରନ୍ତୁ ।

ଦୁର୍ଗା

-

ତୁମ୍ଭେ ବର୍ତ୍ତମାନ ଦ୍ୱାରିକାରୁ ପଦ୍ମନର ପୁତ୍ର ଅନିରୁଦ୍ଧକୁ ଆଣି ବାଣା କନ୍ୟା ଉଷା ନିକଟରେ ପହୁଞ୍ଚାଅ, କିନ୍ତୁ ସାବଧାନ ! ଉଷା ଓ ଅନିରୁଦ୍ଧର ଶୟନାବସ୍ଥାରେ ଏ କାର୍ଯ୍ୟ ସାଧିତ ହେବ ।

ମାୟାକାମିନୀ

-

ମାତ, ତବ ଆଜ୍ଞା ଶିରୋଧାର୍ଯ୍ୟ ।

 

ଚତୁର୍ଥ ଦୃଶ୍ୟ

ଚିତ୍ରରେଖା

-

ହଇହୋ ଜେମାମଣି ! ତେମେ ଦିନକୁ ଦିନ ଏପରି ଶୁଖିଲାଟା ଦେଖାଯାଉଛ କାହିଁକି ମ ? ଯାହାର ସିନା ଚିନ୍ତା ଅଛି, ଦକ ଅଛି, ପରିଶ୍ରମ ଅଛି, ସେ ସିନା ବାର କଥାରେ ମନ ପୁରାଇ ଘାଣ୍ଟି ହୋଇ ମରୁଛି । ତମର ଏବେ କୋଉ କଥାକୁ ଚିନ୍ତା ମ ?

ସରଳା

-

ଚିତ୍ରରେଖା ! ଚିନ୍ତା ସମସ୍ତଙ୍କୁ ଗ୍ରାସିଛି । କି ଧନୀ କି ଦରିଦ୍ର ସମସ୍ତେ ଚିନ୍ତାର ଅଧୀନ । ପିତାର ପୁତ୍ର ଚିନ୍ତା, ମାତାର କନ୍ୟା ଚିନ୍ତା, ସ୍ତ୍ରୀର ସ୍ୱାମୀ ଚିନ୍ତା ।

ଚିତ୍ରରେଖା

-

ସରଳା ! କହିଲୁ ଭଲା ଆମ ଜେମାକୁ କୋଉ ଚିନ୍ତା ଗ୍ରାସିଛି ।

ସରଳା

-

ମୋତେ କାହିଁକି ପଚାରୁଛ ମ ? ଜେମାଦେଈ, ବାସ୍ତବିକ ତୁମ୍ଭେ ଦିନକୁ ଦିନ କ୍ଷୀଣ ହୋଇ ଯାଉଛି । ଏହାର ମତଲବ ଆମ୍ଭେ କିଛି ବୁଝିପାରୁ ନାହୁଁ । ଆମ ଆଗରେ ମୁହଁ ଖୋଲି କହିଲେ ଆମ୍ଭେ କଣ ତାର ପ୍ରତିକାର ବାଟ କରନ୍ତୁ ନାହିଁ ?

ଉଷା-

-

କଣ କହିବି ସହି ।

 

 

(ଗୀତ)

ମରମର କଥା ମରମେ ମରୁଛି

କହିବି ମୁଁ କାହାରେ । (ଘୋଷା)

 

ମନ୍ଦ ଅନିଳ ରହିଲାଣି (ପିକ)

ବସନ୍ତ ଆଗମେ କହିଲାଣି

ମଲ୍ଲୀ ଯାଇ ଯୁଇ କେତକୀ ଚାହିଁ

ଉଡ଼େ ମୋର ସାହାରେ ।୧।

 

ପୋଡ଼ା ପରାଣେ ନାହିଁ ମୋ ଆଶା

ଘୋଟିଲାଣି ଆସି ଘୋର ବିବସା ।

ଧିକ ଜନ୍ମ ଯୋଷା            ନାହିଁ ଯେବେ ଆଶା

ଉଡ଼େ ମୋର ସାହାରେ ।୨।

 

ସାର ଯୌବନ ଦେଉଛି ଛାର

ମାର ଦହୁଅଛି ବାରମ୍ବାର

ନିଦାରୁଣ ପଣ            କଲେ ପିତା ଜାଣ

ନ ପାଏ ମୁଁ ରାହାରେ । ୩ ।

 

-

ସଖି ! ପିତାଙ୍କ ଦାରୁଣ ପ୍ରତିଜ୍ଞା ଶୁଣିଛ ତ ? ମୁଁ ଆଉ ଅଧିକ କଣ କହିବି, ମୁଁ ରାଜକୁଳରେ ଜନ୍ମ ହୋଇ କେଡ଼େ ହେଲା ଗେହ୍ଲାରେ ବଢ଼ି ଥିଲି, କିନ୍ତୁ ବିଧାତା, ମୋର ସେ ସୁଖ ବର୍ତ୍ତମାନକୁ ରହିଲା ନାହିଁ ।

ସରଳା

-

ଚିତ୍ରରେଖା ! ଏକା ସତକଥା, ସୁନ୍ଦର ବେଳେ ସିନା ସିନ୍ଦୁର, ଆଉ କୋଉ କାଳେ କିଏ ଆମ ରାଜାଙ୍କୁ ଯୁଦ୍ଧରେ ହଟେଇବ ଜେମାଙ୍କୁ ବାହା ହେବ, ‘ଆକାଶ କଇଁଆ ଚିଲିକା ମାଛ ।’’

ଚିତ୍ରରେଖା

-

ଆଲୋ କଣ୍ଡୁରି ନନ୍ଦ ଦିନେ ଭାଗବତ ବୋଲୁଥିଲେ କ’ଣ ଗୋଟିଏ କି ସୁନ୍ଦର ପଦ ପଡ଼ିଲା, ହଁ, ‘‘ଏ ବଡ଼ ଲୋକଙ୍କର ମତ, ଅଳପ ଲୋକେ ବିପରିତ’’ । ଏ ତ ରଜାଘର କଥା, ସେଥିରେ ଭଲ ହେଲେ କେତେ ମନ୍ଦ ହେଲେ କେତେ, ଉତ୍ତର ଦେଉଛି କିଏ ? ତ୍ରେତୟା ଯୁଗରେ ଜନକ ପଣ କରିଥିଲେ, ଯିଏ ଶିବଧନୁକୁ ଭାଙ୍ଗିବ ସେ ସୀତାଙ୍କୁ ବିଭା ହେବ । ଦ୍ରୁପଦ ରାଜା ପଣ କରିଥିଲେ ଯିଏ ଜଳପାତ୍ରରେ ମାଛର ଛାଇ ଦେଖି ବାମ ହସ୍ତରେ ମାଛର ଚକ୍ଷୁକୁ ବାଣ ବିଦ୍ଧ କରିବ ସେ ଦ୍ରୌପଦୀଙ୍କୁ ବିଭା ହେବ । ଏ ବୋଧହୁଏ ସେହିପରି ପଣ କରିଛନ୍ତି ଯିଏ ଯୁଦ୍ଧରେ ତାଙ୍କୁ ହଟାଇବ ସିଏ ଉଷାଦେବୀଙ୍କୁ ବିଭା ହେବ ।

ସରଳା

-

ରାଇଜଯାକର ରଜା ତ ଆମ ମଣିମାକୁ ପାରିଲେ ନାହିଁ, ପୁଣି ଶିବଙ୍କ ବରରେ ତ ଏ ତ୍ରିପୁର ବିଜୟୀ । ଇନ୍ଦ୍ର ପରା କ୍ଷତ୍ରି ଶରଣ ପଶିଲା, ଆଉ ହବ କଣ, ଜେମାଦେଈଙ୍କ କର୍ମ ।

ଚିତ୍ରରେଖା

-

ଜେମାଙ୍କ କର୍ମ କଣମ, ବଢ଼ିଲା ଝିଅ ଯେବେ ବାପ ଘରେ ବର୍ଷକୁ ପାଞ୍ଚବର୍ଷ ରହିଲା ତେବେ ବାପ ମାଙ୍କୁ ନର୍କରେ ବୁଡ଼ାଇବା କଥା ।

ଉଷା

-

ସଖି ମୁଁ ଏଡ଼େ ହୀନ କପାଳି ।

 

 

(ଗୀତ)

ପ୍ରାଣ ସହି ମହିରେ କି ସୁଖ ମୋର ଆଉ

ଦୁଃଖ ନିଶି ଘୋଟି ଆସିଲାଣି ଚାହୁଁ ଚାହୁଁ

କି କରିବି ଗୋ

କେମନ୍ତେ ଏ ପ୍ରାଣ ମୁଁ ଧରିବି ଗୋ ।୧।

 

ତରୁ ବିନା ଲତା କାହୁଁ ଆଶ୍ରୟ ପାଇବ

ଭୂମିରେ ଲୋଟି ସାଉଁଟି ସିନାଟି ମରିବ

ପ୍ରିୟ ଆଳି ଗୋ

ଦୁଃଖାନଳେ ପଡ଼ି ମରେ ଭାଳି ଗୋ ।୨।

 

ଅଭୟା ଯେବେଟି ମୋତେ କରିବେ ନିରାଶ

ଜାଣିଥା ସଜନୀ ନିଶ୍ଚେ ଭକ୍ଷିବି ମୁଁ ବିଷ

ଏହିପରି ଗୋ

ନ ହେବଟି କେଭେ ଆଉ ଅନ୍ୟ ଗୋ । ୩ ।

 

 

-

ସଖି ! ଏ ଅଲୋଡ଼ା ଜୀବନରେ କିଛି ପ୍ରୟୋଜନ ନାହିଁ । ନିଶ୍ଚୟ ଜହର ଖାଇ ହୃଦୟ ବେଦନା ନିବାରଣ କରିବି ।

ସଖିମାନେ-

-

ଜେମାମଣି ! ୟାନା କଣ କଥା । ଆମ ଦିଅଁ ଦେବତା ପୂଜିବା କ’ଣ କୁଆଡ଼େ ଉଭେଇ ଯିବ । ତୁମ୍ଭେ କୌଣସି କଥାକୁ ଭାବନା କର ନାହିଁ । ଇଷ୍ଟଦେବ ନିଶ୍ଚୟ ଏ କଷ୍ଟ ହରଣ କରିଦେବେ ।

ଉଷା-

-

ସଖି ! ଇଷ୍ଟଦେବ ମୋର ପିତାଙ୍କୁ ସଦ୍‌ବୁଦ୍ଧି ଦେବେ ଯଦ୍ୱାରା ଭାବୁଥିବ ମୁଁ ପତି ପାଇବା ଲାଗି ଆଉଳି ଟାଉଳି ହେଉଛି କିନ୍ତୁ ତା ନୁହେଁ ମୋର ଯେତେ ଦିନ କୁମାରୀ ବ୍ରତ ଅବଲମ୍ବନ କରିବାକୁ ଥିଲା ସେତେ ଦିନ ଆସି ଭୋଗ ହୋଇ ଗଲାଣି, ବର୍ତ୍ତମାନ ମୁଁ ପ୍ରତିବ୍ରତା ଧର୍ମ ଅବଲମ୍ବନ କରିବି । ସେଥିପାଇଁ ମୋର ପତିଚିନ୍ତା ବିଧେୟ ବୋଲି ମୁଁ ଲଜ୍ଜା ସଙ୍କୋଚ ତ୍ୟାଗ କରି ତୁମ୍ଭ ମାନଙ୍କ ଆଗରେ ମନର ଭାବ ପ୍ରକାଶ କରିବି ।

ଚିତ୍ରରେଖା-

-

ଜେମାମଣି ! ଆମେ କ’ଣ ତୁମ୍ଭଙ୍କୁ କୋଉ କଥା କହିଲୁ ତୁମେ ଉଜାଣି କଣ୍ଟା ବାଡ଼କୁ ଲୁଗା ପକାଉଛି ।

ଉଷା-

-

ନାହିଁ ଲୋ ସଖି ! କାଳେ ତୁମ୍ଭେମାନେ କୋଉ କଥା ଭାବିଥିବ ବୋଲି ମୁଁ ବୁଝାଇ ଦେଲି; ପ୍ରକୃତରେ ଯୁଗଳ ଅଙ୍ଗ ନ ହେଲେ ଭକ୍ତିର ସାଧନ ହୁଏ ନାହିଁ । ବର୍ତ୍ତମାନ ମୋତେ ନିଦ୍ରା ଆସିଲାଣି ତୁମ୍ଭେମାନେ ପଲଙ୍କ ସଜାଇ ଦିଅ । (ତଥା କରଣ)

 

-

(ସଖୀଏ ଅନ୍ତର୍ଦ୍ଧାନ)

[ ମାୟା କାମିନୀ ଅନିରୁଦ୍ଧକୁ ଉଷା ନିକଟେ ପହଞ୍ଚାଇବା ]

 

-

(ଅନିରୁଦ୍ଧ ଚକ୍ଷୁ ମଳି ମଳି ଉଠି) ଏ କଣ, ଏ କି ଆଶ୍ଚର୍ଯ୍ୟ ସ୍ୱପ୍ନ ! କିଏ ଗୋଟିଏ ଅକଳଙ୍କ ସୁଧାଂଶୁ ବଦନା ତାର କୋମଳ ବାହୁ ପାଶରେ ମୋତେ ଆବଦ୍ଧ କରି ପୁନଶ୍ଚ ମୋ ନିକଟରୁ ଅପସାରିତ ହୋଇଗଲା । ଆହା ସେ କେଡ଼େ ରୂପବତୀ, ବିଧାତା ତାକୁ କାହାର ଅର୍ଦ୍ଧାଙ୍ଗିନୀ କରିବାକୁ ନିର୍ମାଣ କରିଛି । (ଇତଃସ୍ତତ ଚାହିଁ) କିଏ ଅଛ, ଏଁ ଏଁ କେଉଁସ୍ଥାନ, ଏତ ମୋର ଶୟନ କକ୍ଷ ନୁହେଁ । ଏ ଅପୂର୍ବ ରୂପ ଲବଣ୍ୟ ସମ୍ପନ୍ନା ରମଣୀ ପୁଣି ଏଠାକୁ କାହୁଁ ଆସିଲା । ମୁଁ ତ ଠିକ୍ ଏହି ରମଣୀକୁ ସ୍ୱପ୍ନରେ ଦେଖିଥିଲି । କି ଆଶ୍ଚର୍ଯ୍ୟ, ମୁଁ ନିଦ୍ରିତ ନା ଜାଗ୍ରତ, କିଛି ତ ବୁଝି ପାରୁ ନାହିଁ । ମୋର ମଥା କଣ ବିଭ୍ରମ ହୋଇ ଯାଇଛି; ମୁଁ କଣ ସ୍ୱପ୍ନରେ ଏପରି ରମଣୀୟ ଦୃଶ୍ୟ ଦେଖୁଛି ନା । ମୁଁ ତ ସମ୍ପୂର୍ଣ୍ଣ ଜାଗ୍ରତ, ତେବେ ଏ ରହସ୍ୟ ତ କିଛି ବୁଝି ପାରୁନାହିଁ । ଏହାର ରୂପ ଲାବଣ୍ୟ ମୋର ପ୍ରାଣ କିଣି ନେଲାଣି, ଏ କିଏ ?

 

 

ଗୀତ

କାହା ମନୋହରୀ ଏ ମୋ ମନ ମୋହିଲାରେ

ଦେବୀ କି ମାନବୀ କଳନା ମୋହର ନୋହିଲାରେ ।

ତିଳ ପୁଷ୍ପ ଜିଣି ନାସା,

ମୃଗାକ୍ଷି ଅପୂର୍ବ ଯୋଶା

ଗୋପନେ ଆସି ମୋ ପାଶେ

ମୋ ହୃଦକୁ ଦହିଲାରେ । ୧ ।

 

କର ବଦନୀ ଧନୀ,

ଗଣ୍ଡ କୋକନଦ ଜିଣି

ଧନ୍ୟ ସେ ବିନ୍ଧାଣୀ କେତେ-

ଦିନେ ୟାକୁ ଗଢ଼ିଲାରେ । ୨ ।

 

କଟି ତା ଡମ୍ବରୁ ସମ,

ପରୁଶିରା ଅନୁପମ

ଦେଖି ମୋ ମତି ବିଭ୍ରମ

ନିଶ୍ଚେ ଆସି ହୋଇଲାରେ । ୩ ।

 

 

-

ସଖି ! ତୋର ଏ ରୂପକୁ ଭୁଲି ପାରିବି ନାହିଁ । ତୋର ରୂପଲାବଣ୍ୟ ମୋର ହୃଦୟକୁ କିଣି ନେଲାଣି, ସଖି ! ମୋତେ ଅନ୍ତର କରିବୁ ନାହିଁ, ମୁଁ ଆଜିଠାରୁ ତୋ ନିକଟରେ ଚିର ବନ୍ଧା ରହିଲି । ତୋର ମୋର ଭିନ୍ନା ଭିନ୍ନ ନାହିଁ । ହୃଦୟେଶ୍ୱରି ! ତୁହି ମୋର ଜୀବନ, ତୁହି ମୋର ଜ୍ଞାନ, ତୁହି ମୋର ସକଳ ସମ୍ପଦ । ପ୍ରାଣପ୍ରିୟେ ! ମୋର ତୋହ ପ୍ରତି କେତେଦୂର ସ୍ନେହ ମମତା ଜନ୍ମିଛି ଥରେ ଉଠି ଦେଖ । ନା, ନିଦ୍ରା ଭଙ୍ଗ କରିବି ନାହିଁ । ତେବେ ସ୍ନେହର ନିଦର୍ଶନ ସ୍ୱରୂପ ଏହି ମୁଦ୍ରିକାଟି ତୋର ହସ୍ତରେ ଅର୍ପଣ କରି ତୋର ନିଦ୍ରା ଭାଙ୍ଗିବା ପର୍ଯ୍ୟନ୍ତ ଏହିଠାରେ ଅପେକ୍ଷା କରି ରହିଲି

ଉଷା

-

(ଉଠି) ଆହା ମୁଁ କେତେ ଗୁଡ଼ାଏ ଶୋଇ ପଡ଼ିଲି । ପ୍ରଭାତ ଆଲୋକରେ ଗୃହ ଯେ ଆଲୋକିତ ହୋଇଗଲାଣି । କାହିଁ ମୋର ସହଚରୀମାନେ କାହାନ୍ତି । କାହିଁ କେହି ତ ଦେଖା ନାହାନ୍ତି । (ଦେଖି ଆଶ୍ଚର୍ଯ୍ୟ) ପୁଣି ଏ ଅପରିଚିତ ଯୁବକଟି କିଏ । ଏ ମୋର ଗୃହରେ ପ୍ରବେଶ କଲେ କିପରି । ଗୃହର ଦ୍ୱାର ତ ରୁଦ୍ଧ ହୋଇଛି, ଏ ଅବା ଆସିଲେ କିପରି ? ତେବେ କଣ କେହି ଦେବ କୁମାର ! ତା ନ ହେଲେ ଦ୍ୱାରରୁଦ୍ଧ ଗୃହରେ ପ୍ରବେଶ କରିବା ତ ସହଜ କଥା ନୁହେଁ, ବଡ଼ ଲଜ୍ଜାର କଥା । ମୁଁ ଯୁବା ନାରୀ ହୋଇ ଅପରିଚିତ ଯୁବକ ନିକଟରେ ଏତେ ସମୟ ନିଦ୍ରା ଯାଇଥିଲି । ଛି, ଛି, ଯଦି ସଖିଗଣେ ଆସି ପହଞ୍ଚି ଯାଆନ୍ତି ମୋତେ ବଡ଼ ନିନ୍ଦା କରିବେ । ନା ବର୍ତ୍ତମାନ ଏ ସ୍ଥାନ ପରିତ୍ୟାଗ କରିବା ଦରକାର । ଆଚ୍ଛା, ଏ ସ୍ଥାନ ପରିତ୍ୟାଗ କରିବି ନିଶ୍ଚୟ ତେବେ ଭଲକରି ଏ ଯୁବକକୁ ଦେଖିଯାଏ । ସେଥିରେ କ୍ଷତି କଣ ଅଛି । ସୁନ୍ଦର ଜିନିଷଟି ଦେଖିବାକୁ ସମସ୍ତଙ୍କର ମଧ୍ୟ ଲାଳସା ବଢ଼େ । (ଦର୍ଶନ) ଆହା କି ରୂପ, କି ତେଜ, ଏପରି ରୂପକୁ ତ ତୁଳନା ନାହିଁ । ମା, ଭଗବତୀ ! ତୁମ୍ଭେ କ’ଣ ମୋର ହୃଦୟ ବେଦନା ବୁଝି ପାରି ଏ ଦୁର୍ଲ୍ଲଭ ଯୁବକଙ୍କୁ ଆଣି ମୋତେ ଦେଇଛ, ତେବେ ଏ ସୁବର୍ଣ୍ଣ ସୁଯୋଗ ଛାଡ଼ିବି କାହିଁକି । ହେ ଯୁବକ, ତୁମ୍ଭ ରୂପରେ ମୁଁ ମୁଗ୍‌ଧ ହୋଇ ମୋର ମନ ପ୍ରାଣ ତୁମ୍ଭ ଶ୍ରୀଚରଣରେ ଅର୍ପଣ କଲି । ଉଠ, ଉଠ ନାଥ !

 

 

 

ଗୀତ

(ହେ ନବଯୁବକ-ବୃତ୍ତେ)

ଉଠ ପ୍ରାଣ ଧନ ମୋ ଜୀବଜୀବନ,

ଉଠ ଦୁଃଖିନୀର କଣ୍ଠମଣି ।

ତବ ଶ୍ରୀଚରଣେ ଆଜିଟି ଗୋପନେ

ସମର୍ପିଲା ପ୍ରାଣ ଅଭାଗିନୀ

ଆଶ୍ରା ଦିଅ ବାରେ,

ଯବ ବିନା କେହି ନାହିଁ ଅଧୀନରେ ।୧।

 

କେତେ ଦିଅଁ ପୂଜି ପାଇଛି ମୁଁ ଆଜି

ତବ ପାଦ ଯୁଗ ହେଜୀବେଶ

ଥରେ ଆଲିଙ୍ଗନ କଲେ ଜୀବଧନ

ଯିବ ଦୁଃଖିନୀର ହୃଦୁପ୍ରାସ

ଦୟାକର ଥରେ ।

ଅଭାଗିନୀ ପଡ଼ି ମରେ କାମାନଳେ । ୨ ।

 

 

-

ନାଥ ! ଉଠିବ ନାହିଁ, ଥରେ ତୁମ୍ଭର ଦାସୀର ଅନୁରୋଧ ରକ୍ଷା କରିବ ନାହିଁ । ହଉ ଆପଣ ମୋତେ ଆଶ୍ରୟ ନ ଦିଅନ୍ତୁ, କିନ୍ତୁ ମୁଁ ଆଜିଠାରୁ ତବ ଶ୍ରୀଚରଣେ ବନ୍ଧା ରହିଲି ।                              (ପଦଧରି ଶୟନ)

 

 

(ମାୟାକାମିନୀ ପ୍ରବେଶ)

 

 

 

ଗୀତ

କେଡ଼େରଙ୍ଗେ କେଡ଼େ ଭଙ୍ଗେ

            ଲାଗିଛି ଏ ଦୁନିଆ ନାଟ

କେ ପ୍ରେମନୀରେ ଭାସି ଯାଉଛି

କେ ପ୍ରେମନୀରେ ଢେଉ ଖେଳୁଛି

କେ ପ୍ରେମେ ହସେ            କେ ପ୍ରେମେ କାନ୍ଦେ

କେ ପ୍ରେମେ ଛଟପଟ ।

(ଅନିରୁଦ୍ଧକୁ ନେଇଯିବା)

 

ଉଷା

-

(ହଠାତ୍ ଉଠି) କିଏ, କିଏ, କଣ କଲ, ମୋ ହୃଦୟେଶ୍ୱରଙ୍କୁ କୁଆଡ଼େ ନେଇ ଗଲ । ଦିଅ ! ଦିଅ ! (ପ୍ରସ୍ଥାନ)

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

ବାଣା

-

ମୋର ପ୍ରତିଜ୍ଞାରେ ବାଧା ଦେବା ତୁମ୍ଭର କଣ ଉଚିତ୍ ? ମୋତେ ବାରମ୍ବାର ବିରକ୍ତ କର ନାହିଁ, ମୁଁ କେଭେ ଦୁହିତାର ଅମଙ୍ଗଳ ବାଞ୍ଛା କରୁନାହିଁ ।

ମନୋରମା-

-

ଆଉ ମଙ୍ଗଳ କେଉଁ କାଳେ ମ, ଝିଅ ତ ଘରଯୋଗ୍ୟ ହୋଇ ବର୍ଷକୁ ପାଞ୍ଚବର୍ଷ ଘରେ ରହିଲା, ବାହାର ଲୋକ ଯିଏମାନେ ସିଏ ବାରକଥା କହୁଛନ୍ତି । ନାଥ ! ଆପଣ ସେ ଦୃଢ଼ ପ୍ରତିଜ୍ଞାରୁ ରହିତ ହୋଇ ଉପଯୁକ୍ତ ପାତ୍ର ହସ୍ତରେ ମୋର ଉଷାକୁ ସମର୍ପଣ କରନ୍ତୁ ।

ବାଣା

-

ମୁଁ ବାହାର ଲୋକଙ୍କ କଥା ଶୁଣିବାକୁ ଚାହେଁନା । ମୁଁ ଯେଉଁ ପ୍ରତିଜ୍ଞାବଦ୍ଧ ହୋଇଛି ତା ଅନ୍ୟଥା ହୋଇ ନ ପାରେ ।

ମନୋରମା

-

ଗୀତ

ପ୍ରାଣପତି ଏ କେଉଁ ଅନୀତି କଥା କର ।

ତ୍ରିଜଗତେ ତବ ସମ ଅଛି କେହୁ ବୀର ହେ

ପ୍ରାଣନାଥ !

ଜେମାର ସେ ହୋଇବଟି କାନ୍ତ । ୧ ।

 

ମନକୁ ନ ଆସେ ଯାହା ଶୁଣି ନାହିଁ କର୍ଣ୍ଣ

ଅସମ୍ଭବ କଥା ସିନା କହୁଛ ଆପଣ ହେ ।

ଜୀବଧନ !

ଜେମା ଜନ୍ମ ହେଲା ଅକାରଣ ହେ । ୨ ।

 

ଶୋଭାବେଳେ ଗଭା ସିନା ବିଧିର ଭିଆଣ ।

ଅବୁଝା ହେଉଛ ସିନା ନାଥ ଅକାରଣ ହେ ।

କନ୍ୟାଧନ ।

ଗୃହେ ରଖି ବିପଦ କାରଣ ହେ । ୩ ।

 

 

-

ନାଥ ! କନ୍ୟା ଘରଯୋଗ୍ୟ ହେଲେ ତାକୁ ଗୃହରେ ରଖିବା ଆମ୍ଭର ଅମଙ୍ଗଳ । ମୋ ସାନକୁହା ମାନି ଜେମା ଲାଗି ଗୋଟିଏ ବରପାତ୍ର ଠିକ୍ କରନ୍ତୁ ।

ବାଣା

-

ଗୀତ

ମୋତେ ବାର ବାର କରି

କହନା ରେ ବରବରନା ।

(ମୁଁ) ସାର କରିଛି ଯାହା ଛାର କରିବି କି,

ନାରଖାର ପଛେ ହେବି ଲଳନା । ପଦ ।

 

 

-

ମୁଁ ମନରେ ଯାହା କଳ୍ପନା କରିଛି ତାହା କେଭେ ଅନ୍ୟଥା ହୋଇ ନ ପାରେ, ତୁମ୍ଭେ ମୋତେ ବାରମ୍ବାର ବିରକ୍ତ କର ନାହିଁ ।

ମନୋରମା

-

ଆପଣ ମୋ କଥାରେ ବିରକ୍ତ ହେଉଛନ୍ତି ସତ୍ୟ, କିନ୍ତୁ ଦୁହିତାର ଶୁଭ ସମୟରେ ପିତା ଶୁଭ କାମନା କରାଇବା ଆବଶ୍ୟକ, କିନ୍ତୁ ତା ଯେ ନ କରେ ସେ ପିତା ନୁହେଁ ଶତ୍ରୁ ।

ବାଣା

-

ଗୀତ

କାର ବଳେ ମୋତେ କହୁ ଝିଙ୍ଗାସି

ଜାର ଆଶ୍ରା କଲୁଣି କି ରାକ୍ଷସୀ

ଯାର ନାମ ଶୁଣି            କମ୍ପୁଛି ମେଦିନୀ

ତାର ବୁଦ୍ଧିକି ତୁ କରୁ କଳନା । ୧ ।

 

 

-

ରାକ୍ଷସୀ ! କାହା ବଳରେ ଏପରି କୁତ୍ସିତ ବାକ୍ୟ ଦ୍ୱାରା ମୋର ହୃଦୟରେ ଶତବାଣ ବିଦ୍ଧ କରୁଛୁ, ତୁ ଜାଣୁ ମୁଁ କିଏ ?

ମନୋରମା

-

ବେଶ୍ ଜାଣେ, ନାଥ ! ଯେଉଁ ବୀରକୁ ତ୍ରିଜଗତରେ ନର ଦେବତା ଆଦିକରି ଭୟରେ କରପତ୍ର ଯୋଡ଼ନ୍ତି, ସେ ବୀରର ରମଣ କ’ଣ ଏଡ଼େ ମୂଢ଼ା ଯେ ସେ ତାର ସ୍ୱାମୀଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନି ନାହିଁ । ନାଥ ସେ କଥା କୁହନ୍ତୁ ନାହିଁ ।

ବାଣା

-

ତେବେ ମୋର ଇଚ୍ଛାରେ ବାଧା ଦେବା କାର ଅଧିକାର ନାହିଁ ।

 

-

ଗୀତ

ସଂଗ୍ରାମରେ ଯେହୁ ଜିଣିବ ମୋତେ

କନ୍ୟା ସମର୍ପିବି ମୁଁ ତାର ହସ୍ତେ ।

ଏ ମୋ ଦୃଢ଼ପଣ            ନ ହେବ ଖଣ୍ଡନ

ତୁ ଭଣ୍ଡାଭଣ୍ଡି ମୋତେ କରନା । ୨ ।

 

 

-

ଏ ସାରା ସଂସାରେ ଯେ ମୋ ସମ କ୍ଷେତ୍ରୀ ଥିବ ମୁଁ ତାଠାରୁ ଯୁଦ୍ଧରେ ପରାସ୍ତ ହେଲେ ସେହି ବୀରକୁ ମୋର ଉଷାକୁ ବିବାହ ଦେବି ଏହି ମୋ ଦୃଢ଼ ବ୍ରତ ।

 

-

(ପ୍ରସ୍ଥାନ)

ମନୋରମା

-

କାହିଁକି ତୁ ଏପରି ହତଭାଗିନୀ କୋଳରେ ଜନ୍ମହେଲୁ । ତୋ କର୍ମରେ ଏତେ ହୀନିଅବସ୍ଥା ଥିଲା, ମୁଁ କଣ କରିବି, କେତେ ପ୍ରକାର ତ ବୁଝାଇଲି ଟିକିଏ ତ ମୋ କଥା ରହିଲା ନାହିଁ । ହେ ଶିବଶଙ୍କରୀ, ତୁମ୍ଭେ ମାତ୍ର ଭରସା ।

 

-

[ଚିତ୍ରରେଖା ପ୍ରବେଶ]

ଚିତ୍ର

-

ମା ମଣିମା ! ଟିକିଏ ଆଡ଼କୁ ଆସନ୍ତୁ ଜେମାମଣି କାହିଁ କ’ଣ ହୋଇ ଯାଉଛନ୍ତି, ଆମ୍ଭେ କିଛି ବୁଝି ପାରୁ ନାହୁଁ ।

ମନୋରମା-ହଇଲୋ ଚିତ୍ରରେଖା ! କ’ଣ କ’ଣ, ମୋ ଝିଅର କ’ଣ ହେଲା ?

ଚିତ୍ରରେଖା

-

ଆପଣ ଶୀଘ୍ର ଆସନ୍ତୁ ।

ମନୋରମା

-

ହଉ ଚାଲ ।

 

ଦ୍ୱିତୀୟ ଦୃଶ୍ୟ

ସରଳା

-

ଜେମାମଣି ! ଏ କ’ଣ ତୁମ୍ଭେ ଏପରି କାହିଁକି ହେଉଛ ? କାହିଁ କେହି ତ କୁଆଡ଼େ ନାହାନ୍ତି, ତମର ମଥା ବିଭ୍ରମ ହୋଇ ଗଲାଣି, ତେମେ ଟିକିଏ ବସିଯିବଟି, କ’ଣ ଗୁଡ଼ାଏ ଆଡ଼ୁ ସାଡ଼ୁ ହେଉଛ ?

ଉଷା

-

ସରଳା ! ସେ କୁଆଡ଼େ ଗଲେ ତାଙ୍କୁ ମୋ କୋଳରୁ କିଏ ଛଡ଼ାଇ ନେଲା ।

ସରଳା

-

ମୁଁ ତ ଏଥିକି ଆଉ ପାରିବି ନାହିଁ, ତୁମ୍ଭର ମୁଣ୍ଡ କ’ଣ ହେଲାକି, ଦିହ କଣ ହେଲା ଭଲା ଟିକିଏ ଥୟ ହୋଇ ବସି ଯାନ୍ତୁ ତା ନାହିଁ, ଖାଲି ହୋଇଗଲା, ଏଇବାଟେ ଗଲା, ଏଇ ଚାଲିଗଲା କହି ମୋତେ ବୁଲେଇ ବୁଲେଇ ମାରିଲଣି, ମୁଁ ତ ତମ ସାଙ୍ଗରେ ଅଧା ବାଇଆଣି ହୋଇଗଲିଣି । ଜେମାମଣି ! ମୋ ସାନ କଥା ମାନି ଟିକେ ବସିଯାଅ, ମୁଁ ଆଉଁସି ଦିଏଁ ।

ଉଷା

-

ଗୀତ

ସହିରେ କାହିଁ ଗଲେ ମୋ ମନ ଚୋର ।

ଅତି ଗୋପନରେ            ଆସି ମୋ ପାଖରେ

ଥିଲେ ସେ ପ୍ରେମ-ପସରା ।

ମୁଁ ତାଙ୍କୁ ପରାଣ            ବିକିଛି ଗୋ ଜାଣ

ସେହି ମୋ ହୃଦୟ-ହାରା । ୧ ।

 

 

-

ସଖି ! ସେ କୁଆଡ଼େ ଗଲେ, ମୁଁ ତାଙ୍କୁ ଦେଖି ତାଙ୍କର ରୂପ ଲାବଣ୍ୟରେ ବିମୋହିତ ହୋଇ ମୋ ମନ ପ୍ରାଣ ତାଙ୍କ ଶ୍ରୀଚରଣରେ ଅର୍ପଣ କରିଦେଲି, ସେ ମୋତେ ଛାଡ଼ି କୁଆଡ଼େ ଗଲେ ?

ସରଳା

-

ଆଚ୍ଛା, କହିଲ ଭଲା ଆମେ ତ ପହଡ଼େ କି ଛଘଡ଼ି ରାତିରେ ତୁମ୍ଭ ପାଖରୁ ଗଲୁ, ତୁମ୍ଭେ ତ କବାଟ ଦେଇ ଶୋଇଲ, ପୁଣି କିଏ ଭଲା ତୁମ୍ଭ ପାଖକୁ କେଉଁ ବାଟେ ଆସିଲା, କହିଲ ଭଲା ଇଏ ସବୁ କ’ଣ କଥା ?

ଉଷା

 

ଗୀତ

କାଲି ନିଶୀଥରେ            ଥରେ ଏ ନେତ୍ରରେ

ଦେଖିଲା ନୟନ ତାରା ।

ମୁଦି ନେତ୍ର, ପଦ-            ଚାପନ୍ତେ ତାଙ୍କର

(ମୋର) ନିଦ୍ରା ବୁଡ଼ାଇଲା ଚାରା । ୨ ।

 

 

-

ସଖି ! କାଲି ଅର୍ଦ୍ଧରାତ୍ର ସମୟରେ ହଠାତ୍ ମୋର ନିଦ୍ରା ଭାଙ୍ଗିଗଲା । ମୁଁ ଚାହିଁ ଦିଅନ୍ତେ ଗୋଟିଏ ଜ୍ୟୋତିର୍ମୟ ପୁରୁଷ ମୋର ପଲଙ୍କରେ ନିଦ୍ରା ଯାଇଛନ୍ତି । ମୁଁ ତାକୁ ଦେଖିଲାକ୍ଷଣି ମୋର କାହିଁକି ହସ୍ତପଦ ସ୍ଥଗିତ ହୋଇଗଲା । ଭାବିଲି, ଏପରି ସୁନ୍ଦର ମୂର୍ତ୍ତି ଜୀବନରେ ଲଭି ତାକୁ ଏ ହୃଦୟ ରାଜ୍ୟରେ ଅଧୀଶ୍ୱର ନ କରି ଛାଡ଼ିବି କାହିଁକି । ଆଉ ଏ ସୌଭାଗ୍ୟ ଘଟିବ ନାହିଁ । ଏହା ଭାବି ତାଙ୍କ ଚରଣ ଚାପୁ ଚାପୁ ମୋତେ ନିଦ୍ରା ଆସିଗଲା । ସେ କୁଆଡ଼େ ଗଲେ ଆଉ ଦେଖି ନାହିଁ, ସଖି ! କିଏ ତାଙ୍କୁ ଆଣି ମୋତେ ଦେବ ?

ସରଳା

-

ଜେମାଦେଈ ! ତେମେ ସପନଗୁଡ଼ାଏ କ’ଣ ଆଡ଼ୁସାଡ଼ୁ ଦେଖି ଏପରି ହେଉଛ, ଏଥିରେ ଆଉ କିଛି ନାହିଁ; ମୁଁ ଗୋଟିଏ କଥା କହୁଛି ଶୁଣ ।

 

-

ଗୀତ

ଶଇଳେ କି କେବେ ଫୁଟଇ କଇଁ

ସଲୀଳେ କି ଅଗ୍ନି ସଂଯୋଗ ହୋଇ ।

ଅବସନ୍ତେ କି ରାବଇ କୋକିଳ

ସ୍ୱପ୍ନ କଥାରେ ଘଟଇ କି ଫଳ

ଏ ତ ଅସମ୍ଭବ । କେତକୀ ପୁଷ୍ପେ ଚୁମ୍ବଇ କି ଭୃଙ୍ଗ । ୧ ।

 

 

-

ଜେମାମଣି ! ତେମେ ଯେଉଁ କଥାଗୁଡ଼ିକ କହୁଛ, ମତେ ବଡ଼ ଅସମ୍ଭବ ଜଣାଯାଉଛି । ଏଇ ତ ଚିତ୍ରରେଖା ମା-ସାଆନ୍ତାଣୀଙ୍କି ଘେନିକରି ଆସିଲାଣି, ତୁମ୍ଭେ ଆଡ଼ ସାଡ଼ୁ ଗୁଡ଼ାଏ ହୁଅନା ।

ଉଷା

-

ନାହିଁ ସଖି, କ’ଣ ହେଉଛି କାହିଁ ?

 

ମନୋରମା

-

ହଇଲୋ ଉଷା ! କାହିଁକି ଏମିତି କ’ଣ ହେଉଛୁ, ମୁଁ ତ ତୋର ଚିନ୍ତାରେ ସରିଗଲିଣି । ତୁ ବାପ ମାର ଝିଅ ହୋଇ ଜନ୍ମ ହୋଇଥିଲୁ, ତୋ କର୍ମରେ ବିଧାତା ଏତିକି ହୀନିଅବସ୍ଥା ଲେଖିଥିଲା । ମା ମୋର, ଲକ୍ଷ୍ମୀ ମୋର, କ’ଣ କହିଲୁ, ତୋର ଦେହ କଣ ଅସୁସ୍ଥ ହୋଇଛି ?

ଉଷା-

-

ନା ମା, ମୋ ଦେହ ଅସୁସ୍ଥ ହୋଇନାହିଁ । କାଲି ରାତିରେ ହଠାତ୍ ମୋର ନିଦ୍ରା ଭାଙ୍ଗିଗଲା, ମୁଁ ଦେଖିଲି ଯେ-

ମନୋରମା-

-

କ’ଣ କଥା କ’ଣ, ହଇଲୋ ଚିତ୍ରରେଖା କଅଣ ?

ଚିତ୍ରରେଖା

-

ସେ ତ ଯାହା କହୁଛନ୍ତି ଆମେ ଶୁଣି ଆଚମ୍ବିତ ହୋଇଗଲୁଣି ।

ମନୋରମା

-

କ’ଣ ମୁଁ ଶୁଣେ ?

ଚିତ୍ରରେଖା

-

ସେ ସରଳା କହୁ ।

ସରଳା-

-

କାହିଁକି ତୁ କହୁ ନାହୁଁ ?

ମନୋରମା-

-

ଆଲୋ କ’ଣ କହ ?

ଚିତ୍ରରେଖା-

-

ସେ କୁଆଡ଼େ ଶୋଇଥିଲେ ତାଙ୍କ ପଲଙ୍କରେ ଗୋଟିଏ-ସେ ସରଳା କହୁ ।

ମନୋରମା-

-

ଆଲୋ କ’ଣ କହ, ମୋତେ କାହିଁକି ଏପରି ଛାନିଆଁ କରୁଛ ।

ସରଳା-

-

କହୁ ନାହୁଁ,

ଚିତ୍ରରେଖା-

-

ଉଁ ।

ମନୋରମା-

-

ତମେ ସବାଖାଇ ଦିଟା ମୋ ଝିଅକୁ ମାଇଲ ।

ଚିତ୍ରରେଖା-

-

ଆମେ କହୁଥିବୁ, ଜେମାମଣି ପୁଣି-

ମନୋରମା-

-

ସେଥିରେ ଯାହା ହାନିଲାଭ ମୁଁ ତୁଲେଇବି କହ ?

ଚିତ୍ରରେଖା-

-

ତାଙ୍କ ପଲଙ୍କରେ ଗୋଟିଏ ଜ୍ୟୋତିର୍ମୟ ପୁରୁଷ ଆସି ଶୋଇଥିଲା । ସେ ତାକୁ ଦେଖି ଏପରି ହେଉଛନ୍ତି । ପୁଣି ବର୍ତ୍ତମାନ କହନ୍ତି, ସେ ପୁରୁଷକୁ ମୁଁ ବିବାହ ନ ହେଲେ ପ୍ରାଣ ରଖିବି ନାହିଁ ।

ମନୋରମା-

-

(ଉଷାପ୍ରତି) ମା ! କ’ଣ ପାଗଳିଣୀ ହୋଇଗଲୁ କି, ନଅର ଚାରିଆଡ଼େ କଂସା କବାଟ; ତହିଁରେ ପୁଣି ଲୁହାର କିଳଣୀ, ସାରାରାତି ପହରା ବାଲା ପହରା ଦେଉଛନ୍ତି । ଏଥିରେ ତୋ ପିତା ଯେଉଁ ପ୍ରତାପୀ ତା ତ ଜାଣୁ, ତା ଉଆସକୁ ପୁରୁଷଟାଏ ପୁଣି ପଶି ଆସିବ, ଯେଉଁଠି ମାଛି ପଡ଼ିଲେ ନବଖଣ୍ଡ । ଛି ଛି ଲୋକେ ଏ କଥା ଶୁଣିଲେ କ’ଣ କହିବେ; ପୁଣି ତୋ ପିତା ଶୁଣିଲେ କି ରକ୍ଷାଅଛି । ମା ! ସ୍ୱପ୍ନରେ ଗୁଡ଼ାଏ କ’ଣ ଦେଖିପକାଇ ଏପରି ହେଉଛୁ ।

ଉଷା

-

ନା ମା ସ୍ୱପ୍ନ ନୁହେଁ ?

ମନୋରମା

-

ତୁ ଜାଣିବା ଶୁଣିବା ପିଲା ହୋଇ ଏମିତି ଅବୁଝା ହେଉଛୁ । ସରଳା ଆସିଲୁ ମୋ ସଙ୍ଗରେ, ଗୋଟିଏ ଚିଜ ଦେବି ତାକୁ ଝିଅ ମୁଣ୍ଡରେ ମାଲିସ କରିଦେବୁ ।

ସରଳା

-

ଆପଣ ଆଗରେ ଚାଲନ୍ତୁ, ମୁଁ ପାଇଟି ସାରିଦେଇ ଯାଉଛି ?

ମନୋରମା

-

 

-

(ପ୍ରସ୍ଥାନ)

ଉଷା

-

ସଖିଏ ! ତୁମ୍ଭର ମୋର ଏଇମାତ୍ର ଶେଷଦେଖା । ଯଦି କୌଣସି କାରଣରୁ ତୁମ୍ଭମାନଙ୍କ ପ୍ରତି କିଛି ମନ୍ଦ ବ୍ୟବହାର କରିଥାଏ ତେବେ ମୋର ଦୋଷ କ୍ଷମା କରିବ । ଉଷାକୁ ଆଜିଠାରୁ ମନରୁ ପାଶୋରି ଦେବ । ଦେଖ, ଏଇ ହୀରାମୁଦି ଚୁମ୍ବି (ମୁଦିଦେଖି) ଏ କଣ ! ଏ ମୁଦ୍ରିକାଟି କାହାର । ମୋ ମୁଦି କିଏ ନେଲା । ଏ ତ ଅଷ୍ଟରତ୍ନରେ ବିମଣ୍ଡିତ ହୋଇଛି । ଆଉ ସନ୍ଦେହ ନାହିଁ, ନିଶ୍ଚୟ ଜାଣିଲିଣି ନିଶ୍ଚୟ ବୁଝିଲିଣି ଏ ମୁଦ୍ରିକାଟି ମୋ ହୃଦେୟେଶ୍ୱରଙ୍କର । ସଖି ! ମୋ କଥାକୁ ସ୍ୱପ୍ନବୋଲି ଉଡ଼ାଇ ଦେଉଥିଲ, କିନ୍ତୁ ଫଳରେ ଦେଖ ମୁଦ୍ରିକାଟି ମୋ ହସ୍ତକୁ କୁଆଡ଼ୁ ଆସିଲା ?

ଚିତ୍ରରେଖା

-

ଜେମାମଣି ! ଦିଅ ସେ ମୁଦ୍ରିକାଟି ଦିଅ ମୁଁ ନିଶ୍ଚୟ ଆଣି ସେ ଚୋରକୁ ତୁମ୍ଭ ନିକଟରେ ପହଁଞ୍ଚାଇବି । ସଖି, ଦୁର୍ଗାଙ୍କ ପ୍ରସାଦରୁ ଏ ଚିତ୍ରରେଖାକୁ କୌଣସି କଥା ଅଭାବ ପଡ଼ିବ ନାହିଁ । ଆଚ୍ଛା, ଦେଖିଲ ମୁଁ କେତେଗୁଡ଼ିଏ ଚିତ୍ରପଟ ଆଙ୍କିଦେଉଛି ସେଥିମଧ୍ୟରୁ କେଉଁ ଜଣକ ତୁମ୍ଭର ସ୍ୱାମୀ ।

ଉଷା

-

ସଖି ! ନିଶ୍ଚୟ ଚିହ୍ନିବି, ସେ ରୂପଲାବଣ୍ୟ ମୋ ଚକ୍ଷୁରେ ନାଚୁଛି ।

 

-

(ଚିତ୍ରରେଖା ଚିତ୍ର ଆଙ୍କିବା ଓ ଉଷା ନାହିଁ କରୁ କରୁ ତାର ସ୍ୱାମୀର ଫଟ ଚିହ୍ନିବା)

ଉଷା

-

ସଖି, ଏହି ମୋର ସ୍ୱାମୀ । ଚିତ୍ରରେଖା, ତୁମ୍ଭେ କ’ଣ କେଉଁ ଦେବୀ । ଏଠାରେ କପଟରେ ମୋର ସହଚରୀ ହୋଇ ରହିଛ । ମୁଁ ଏମାନ କିଛି ବୁଝି ପାରୁନାହିଁ ।

ଚିତ୍ରରେଖା

-

ନାହିଁ ସହି, ମୋର କିଛି ଶକ୍ତି ନାହିଁ । ଏହା ସବୁ ସେହି ମହାମାୟୀ ଦୁର୍ଗାଙ୍କ ଅନୁଗ୍ରହ ।

ଉଷା

-

ତେବେ ମୋର ଆଉ ଭାବନା କାହିଁକି । ସଖି ମୁଁ ତୁମ୍ଭ ପରି ଦେବୀରୂପା ସହଚରୀ ପାଇ ମୋର କେଉଁ କଥାକୁ ଚିନ୍ତା । ମୋତେ ଟିକିଏ ମୋର ପ୍ରାଣବନ୍ଧୁଙ୍କୁ ଭେଟାଇ ଦିଅ । ତୁମ୍ଭ ନିକଟରେ ଚିରଋଣୀ ରହିବି ।

ଚିତ୍ରରେଖା

-

ଗୀତ

ସରଗରେ ସୁନାଚାନ୍ଦ ଗୋ (ଚାରୁଚନ୍ଦ୍ର ବଦନା)

ଶରଧା ତୁ କଲେ            ତୋଳି ଆଣିଦେବୁ

ନ ବହ ତୁ ମନେ ଖେଦ ଗୋ । ୧ ।

 

ଏହି ଛାର କଥା ପାଇଁ ଗୋ ।

ଏହି ଲାଗେ ଯାଇ            ବାନ୍ଧି ଆଣିଦେବୁ

ଥିବେ ତୋର କାନ୍ତ ଯହିଁ ଗୋ । ୨ ।

 

ଆଗ ପଛ ଭଲ ମନ୍ଦ ଗୋ

ଘଟିବଟି ଯାହା            ସମ୍ଭାଳିବୁ ତାହା

ନ ଜାଣୁଟି ଆମ୍ଭେ ଛନ୍ଦ ଗୋ । ୩ ।

(ସମସ୍ତଙ୍କର ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

ଅନିରୁଦ୍ଧ

-

କେତେ ସ୍ଥାନ ବୁଲି ବୁଲି କେତେ ବନ ଉପବନ କରିଲି ଦର୍ଶନ

କିନ୍ତୁ, କେଉଁଠାରେ ନ ପାଇଲି ଦେଖା

ହା ପ୍ରିୟେ ! ହା ପ୍ରାଣପ୍ରିୟେ,

ଦେଖା ଦିଅ ଲୁଚିଅଛ କେଣେ

ସୁନ୍ଦରୀ ହା ନବୀନ ଲଳନେ, ଲଭି ମୁହିଁ ତୋତେ

କାହିଁ ପୁଣି ବସିଲି ହରାଇ

ଅହୋ କି କରିବି କେଣେ ଯିବି

କିଏ ମୋତେ ଦେବ ସେହି ସ୍ୱର୍ଗୀୟା ସୁନ୍ଦରୀ ।

 

ଜୟନ୍ତ

 

-

(ପ୍ରବେଶି) ସଖା, ସଦାବେଳେ ଏପରି ବ୍ୟସ୍ତ ହେବାଦ୍ୱାରା ତୁମ୍ଭର ଶରୀର କ୍ଷୀଣ ହୋଇ ପଡ଼ୁଛି । ବାରମ୍ବାର ସେହି କଥାଗୁଡ଼ାକ ମନରେ ପକାନା ।

ଜୟନ୍ତ

-

ଶାନ୍ତ ସୁସ୍ଥ ହୁଅ ଭାଇ ମନ କର ସ୍ଥିର

ଅସ୍ଥିର ହୋଇଲେ କିଛି ନ ହୋଇବ

ବିଶେଷତଃ, ଗୁପ୍ତକଥା ପ୍ରକାଶିବା ନୁହେଁଟି ଉଚିତ ।

କହିଲେ ଏ କଥା ଯାରେ ତାରେ

ପାଗଳାମୀ ବୋଲି ଭାଷିବେଟି ଜନେ ।

 

ଅନିରୁଦ୍ଧ

-

ସ୍ଥିର ହୋଇ ନ ପାରେ ମୁଁ ସଖା !

ଯେଣେ ଚାହେଁ ତେଣେ ଦିଶେ ସେ ଲାବଣ୍ୟରୂପ !

ସଖା ! କେଣେ ଯିବି କେମନ୍ତେ ପାଇବି ।

କିଏ ମୋତେ ଦେବ ସେହି ଧନ

ସଖା ! ଚାଲଯିବା ଦେଶାନ୍ତରେ,

ରାଜପୁରେ ନାହିଁ ପ୍ରୟୋଜନ ।

 

ଜୟନ୍ତ

-

ଏ କି କହ ସଖା, ସାମାନ୍ୟ ନାରୀରୂପରେ ବିମୋହିତ ହୋଇ ପିତା, ମାତା, ଭାଇ, ବନ୍ଧୁ ଆତ୍ମୀୟସ୍ୱଜନଙ୍କୁ ପରିତ୍ୟାଗ କରିବ ?

ଅନିରୁଦ୍ଧ

-

(ଗୀତ)

କି ବୁଦ୍ଧି କରିବି ବନ୍ଧୁ କେଣିକି ମୁଁ ଯିବି ।

କେମନ୍ତେ ସେ ସୁକୁମାରୀ ତନୁକୁ ଲଭିବି ।

କହ ସଖା,

ତାର ବିନେ ନାହିଁ ମୋର ରକ୍ଷା । ୧ ।

 

କେଡ଼େ କମନୀୟ ରୂପ ସେ ଲାବଣ୍ୟ ନିଧି

ଗଢ଼ିଥିଲା କେତେଦିନେ ବସି ତାକୁ ବିଧି

(ତାର) ରୂପଠାଣି

ନେଇଛି ମୋ ମନ ପ୍ରାଣ କିଣି । ୨ ।

 

କାମାନଳେ ମୋର ପ୍ରାଣ ଜାଳେ ସେ ଲଳନା ।

ତାର ସଙ୍ଗେ ମହୀରେ ମୁଁ କି ହେବି ତୁଳନା

ଅତି ସୁକୁମାରୀ ।

ସ୍ୱର୍ଣ୍ଣଲତା ଚାରୁ ବିମ୍ବାଧରୀ । ୩ ।

 

ସଖା ! ସ୍ୱର୍ଗୀୟ ସୁନ୍ଦରୀ ସେହି କନକ ବରନା

ନାହିଁ ତାକୁ ଉପମା ଦେବାକୁ କିଛି

କହ ସଖା ! କେମନ୍ତେ ମୁଁ ପାଇବି ତାହାକୁ ।

 

ଜୟନ୍ତ

-

ସଖା ! ଯଦି ବିଧାତା ତୁମରି ଲାଗି ତାକୁ ନିର୍ମାଣ କରିଥିବ ତେବେ ଦିନେ ପୁଣି ସେ ତୁମର ଅର୍ଦ୍ଧାଙ୍ଗିନୀ ହୋଇ ବସିବ । ସେଥିଲାଗି ଭାବନା ନିଷ୍ପ୍ରୟୋଜନ । ଦେଖିଲଣି କିଏ ଗୋଟିଏ କି ଉଦ୍ଦେଶ୍ୟରେ ଆମ୍ଭ ଆଡ଼କୁ ଆସୁଛି ।

 

-

(ପାଗଳିନୀ ବେଶରେ ଚିତ୍ରରେଖା ଗୀତ ଗାଇ ପ୍ରବେଶ)

ଚିତ୍ରଲେଖା

-

(ଗୀତ)

ନାରୀ ହୃଦୟ ବେଦନା କେବା ଜାଣିବ ରେ ।

ପୁରୁଷ ସୁଖର ସାଥି            ପୁରୁଷ ବିଶ୍ୱାସଘାତୀ,

ପୁରୁଷେ କରି ପୀରତି, ସଦା ଝୁରି ମରିବରେ । ୧ ।

ଅନିରୁଦ୍ଧ

-

ସଖା ! ଏ ଯେଉଁ ସଙ୍ଗୀତଟି ଗାଇଲା ଏଥିରେ ଅର୍ଥ କ’ଣ ? ଯେପରି ନିଷ୍ଠୁର ଅନିରୁଦ୍ଧକୁ ଉପହାସ । (ପାଗଳୀପ୍ରତି) ସୁନ୍ଦରୀ ! ତୁମେ କିଏ ?

ପାଗଳୀ

-

ମୁଁ କିଏ ? ମୋର ପରିଚୟ ତୁମ୍ଭଙ୍କୁ ଦେଲେ ତୁମ୍ଭେ କ’ଣ ବୁଝିବ ।

ଅନିରୁଦ୍ଧ-ବୁଝି ନ ପାରିଲେ ତୁମେ ବୁଝାଇ ଦେବ ।

 

ପାଗଳୀ

-

ମୋର ପରିଚୟ ପାଇବା ତୁମ୍ଭର କିଛି ଆବଶ୍ୟକ ନାହିଁ । ମୁଁ କେହି ନୁହେଁ । ଅନିରୁଦ୍ଧ-ଛଳନା କରନା, ସତ୍ୟକରି କହ ତୁମେ କିଏ ?

ପାଗଳୀ

-

ମୁଁ ଜଣେ ପାଗଳୀ ।

ଅନିରୁଦ୍ଧ

-

ଆଚ୍ଛା, ତୁମେ ଏ ଗୀତଟି କେଉଁଠାରୁ ଶିଖିଲ ?

ପାଗଳୀ

-

କେଉଁ ଗୀତ ?

ଅନିରୁଦ୍ଧ।

-

ବର୍ତ୍ତମାନ ଯେଉଁଟି ଗାଉଥିଲ

ପାଗଳୀ

-

କେଉଁ ଗୀତ ମୋର ତ ମନେ ନାହିଁ ।

ଅନିରୁଦ୍ଧ

-

ତା କଣ ଏହି ମୁହୂର୍ତ୍ତ ମଧ୍ୟରେ ଭୁଲିଗଲ ।

ପାଗଳୀ

-

ତେବେ ପାଗଳ ଆଉ ପାଗଳୀର ମତି କ’ଣ ସଦାବେଳେ ସ୍ଥିର ଥାଏ ?

ଅନିରୁଦ୍ଧ

-

-ତୁମ୍ଭେ ପାଗଳୀପରି ତ ଜଣା ଯାଉନାହଁ । ତୁମ୍ଭ କଥାବାର୍ତ୍ତାରୁ ମୁଁ ଅନୁମାନ କରୁଛି ତୁମ୍ଭେ ଜଣେ ଚତୁରୀ ରମଣୀ ।

ପାଗଳୀ

-

ନା ନା; ଏ କଥା କହନା, ମୋ ବଂଶରେ କେହି ଚତୁର ନାହାନ୍ତି । ମୋ ମା ପାଗଳୀ, ବାପ ପାଗଳ, ମୁଁ ମଧ୍ୟ ପାଗଳୀ । ଆଉ ବା ମୋର ଯିଏ ସାଙ୍ଗ ସଖୀ ଅଛନ୍ତି ସେମାନେ ମଧ୍ୟ ପାଗଳୀ ।

ଅନିରୁଦ୍ଧ

-

ରମଣୀ ! କପଟ କରନା, ଆତ୍ମ ପରିଚୟ ଦିଅ ।

ପାଗଳୀ

-

ପାଗଳୀର ପୁଣି ଆତ୍ମ ପରିଚୟ କ’ଣ ? ଯେବେ ତୁମ୍ଭର କିଛି ପଚାରିବାର ଉଦ୍ଦେଶ୍ୟ ଥାଏ ତେବେ ପଚାର ।

ଅନିରୁଦ୍ଧ

-

ଆଚ୍ଛା ଯେଉଁ ଗୀତଟି ଗାଇଲ ତାହା କାହା ଉଦ୍ଦେଶ୍ୟରେ ଗାଇଲ ?

ପାଗଳୀ

-

କାହାକୁ କାହିଁକି ଉଦ୍ଦେଶ୍ୟ କରି ଗାଇବି, ପାଗଳୀର ମନରେ କେତେବେଳେ କଣ ଆସିଗଲା ।

ଅନିରୁଦ୍ଧ

-

ନା ମୋର ବିଶ୍ୱାସ ହେଉନାହିଁ, ବୋଧହୁଏ ତୁମ୍ଭେ ମୋତେ ଉଦ୍ଦେଶ୍ୟ କରି ଗୀତଟି ଗାଇଲ ।

ପାଗଳୀ

-

ମାଲୋ ମା, ସେ କି କଥା, ତୁମ୍ଭେ କିଏ, ତୁମ୍ଭ ଘର କେଉଁଠି, ମୋ ଘର କେଉଁଠି, ମୁଁ ତୁମ୍ଭଙ୍କୁ କାହିଁକି ଉଦ୍ଦେଶ୍ୟ ରଖି ଗୀତ ଗାଇବି ।

ଅନିରୁଦ୍ଧ

-

ନିଶ୍ଚୟ, ତୁମ୍ଭେ ସଙ୍ଗୀତ ଛଳେ ମୋତେ ଉପହାସ କରୁଛ ।

ପାଗଳୀ

-

ତେବେ ତୁମ୍ଭେ କ’ଣ କେଉଁ ଅବଳାର ଗଳାରେ ଛୁରୀ ଦେଇଛ ?

ଅନିରୁଦ୍ଧ

-

ନା ନା, ମୁଁ କାହିଁକି କେଉଁ ଅବଳାର ଗଳାରେ ଛୁରୀ ଦେବି, ବରଂ ମୋ ଗଳାରେ ଗୋଟିଏ ଅବଳା ଛୁରୀ ଦେଇଛି ।

ପାଗଳୀ

-

ନା ନା, ତୁମ୍ଭର କଥା ବିଶ୍ୱାସ ହେଉନାହିଁ । ପୁରୁଷର ପ୍ରାଣ ଅତି କଠିନ, ସେଥିରେ ଛୁରୀର ଦାଗ ବସିବା ସହଜ ନୁହେଁ ।

ଅନିରୁଦ୍ଧ

-

ନିଶ୍ଚୟ ଜଣେ ରମଣୀର ବିଷମ ଆଘାତ ଦ୍ୱାରା ମୋର ହୃଦୟ ବ୍ୟଥିତ ହୋଇଯାଇଛି । ବିଦେଶିନି ! ତୁମେ ସେ କାମିନୀର ସମ୍ବାଦ ଜାଣ କି ?

ପାଗଳୀ

-

ମୁଁ କେମିତି ଜାଣିବି ଲୋ ମା, ସେ କେଉଁଠି, ମୁଁ କେଉଁଠି ।

ଅନିରୁଦ୍ଧ

-

ତୁମେ ନିଶ୍ଚୟ ଜାଣ, ତୁମ୍ଭର ପାଦ ଧରୁଛି ତୁମେ ସ୍ପଷ୍ଟ କହ ସେ ରମଣୀ କିଏ ?

ପାଗଳୀ

-

କି ଆଶ୍ଚର୍ଯ୍ୟ କଥା । ମୁଁ ବା ଜାଣିଲି କିପରି ? ତେବେ ଏ ପତ୍ର ଖଣ୍ଡିକ କ’ଣ ବାଟରେ ପଡ଼ିଥିଲା, ଦେଖନ୍ତୁ ତ ଏଥିରେ କ’ଣ ଲେଖାଅଛି ।

ଅନିରୁଦ୍ଧ

-

ଦେଲ ।

ପାଗଳୀ

-

ନିଅ ତୁମ୍ଭେ ପତ୍ର ପଢ଼, ମୁଁ ଆସୁଛି ।

ଅନିରୁଦ୍ଧ

-

ନା ନା, ତୁମ୍ଭେ ଯିବ କୁଆଡ଼େ ।

ପାଗଳୀ

-

ଏଇ ବର୍ତ୍ତମାନ ମୁଁ ଆସୁଛି ।

ଅନିରୁଦ୍ଧ

-

-ନିଶ୍ଚୟ କଥା ତ ?

ପାଗଳୀ

-

ନିଶ୍ଚୟ

 

-

(ପ୍ରସ୍ଥାନ)

ଅନିରୁଦ୍ଧ

-

ସଖା ! ପଢ଼ ଦେଖି ଏ ପତ୍ରରେ କ’ଣ ଲେଖାଅଛି ।

ଜୟନ୍ତ

-

ପତ୍ର ପାଠ ।

 

-

ସ୍ୱାମିନ୍ ! ନିଶାର୍ଦ୍ଧେ ମୋର ନିର୍ଜନ ଶୟନ କକ୍ଷରେ ଆପଣଙ୍କର ଶ୍ରୀମୁଖ ପଙ୍କଜ ଦର୍ଶନ କରି ହତଭାଗିନୀ କୁଳ ମାନ ଲଜ୍ଜ୍ୟା ପରିତ୍ୟାଗ କରି ଆପଣଙ୍କ ଶ୍ରୀଚରଣରେ ଆଶ୍ରୟ ନେଇଥିଲା । ହୃଦୟେଶ୍ୱର ! ଗୁରୁତର ନିର୍ଦ୍ଦୟ ବ୍ୟବହାର ଦ୍ୱାରା କିଙ୍କରୀର ପ୍ରାଣ ହରଣ କରି ପଳାଇଯିବା କ’ଣ ଆପଣଙ୍କର କର୍ତ୍ତବ୍ୟ ? ଯଦି ନାରୀ ହତ୍ୟାକୁ ମହାପାପ ବୋଲି ମନରେ ଭୟ ଥାଏ; ଯେବେ ପଦାଶ୍ରିତ ଦାସୀ ପ୍ରତି ଅନୁରାଗ ଥାଏ ତେବେ ଶୀଘ୍ର ଦେଖା ଦିଅନ୍ତୁ । ନିବେଦନ ମିତି ।

 

-

ଶୈବକୁଳ ଚୂଡ଼ାମଣି ରକ୍ଷ ଶିରୋମଣି

ଶ୍ରୀ ଶ୍ରୀ ରାଜାଧିରାଜ ବାଣାସୁରର ସ୍ନେହ ପାଳିତା

 

-

ଉଷା

ଅନିରୁଦ୍ଧ

-

ସଖା କଣ ଶୁଣିଲି । ଓହୋ, ହୃଦୟ ତୁ ଫାଟି ନ ଯାଇ ରହିଛୁ କିଆଁ ।

ଜୟନ୍ତ

-

ସଖା ! ଏ କଣ ? ସ୍ଥିର ହୁଅ ।

ଅନିରୁଦ୍ଧ

-

ଉଷା ! ମୁଁ ପ୍ରକୃତରେ ବିଶ୍ୱାସଘାତକ କାର୍ଯ୍ୟ କରିଛି । ମୁଁ ପ୍ରକୃତରେ ନୃଶଂସ । ମୁଁ ପ୍ରକୃତରେ ନିଷ୍ଠୁର, ମୋତେ କ୍ଷମା ଦେ, ଆଉ ଅଭିମାନ କରନା ।

ଜୟନ୍ତ

-

ସଖା ଏ କଣ ?            (ଆତ୍ମବିସ୍ମୃତ)

ଅନିରୁଦ୍ଧ

-

ଆଉ କାନ୍ଦନାରେ ବିଧୂ ବଦନା

ବିଶ୍ୱାସରେ ବିଷ            ଦେଇ ନାହିଁ ମୁଁ ନାରୀଶ

(ତୁ ମତେ) ଦୋଷ ଦେଇ ବନ୍ଦନାରେ । ପଦ ।

 

ଛନ୍ଦ ତୋଠାରେ ମୋର      ନାହିଁଟି ତିଳେ ମାତର

ବାନ୍ଧିବି ତୁ ମୋ କୁନ୍ଦ ବନ୍ଦନା ।

ହୃଦୟ ଚିରି ମୋହର      ଦେଖି ପାରିବୁ ଯଦି

ଯିବ ତୋ ମନୁ ଭାବନା । ୧ ।

 

ଫାନ୍ଦେ ପଡ଼ି ତୋହର      ହଜିଛି ଜ୍ଞାନ ମୋହର

ଦେଖା ତୋ ଥରେ ମୁଖ ଚନ୍ଦ୍ରମା ।

ମନ୍ଦ ଦଇବ କୃତ            ମୁଁ ନୁହେଁ ଦୋଷୀ ମାତ୍ର

(ତୁ) ନିର୍ଦ୍ଦୋଷୀକି ଦଣ୍ଡନା । ୨ ।

 

 

-

ସଖି ! ବାରମ୍ବାର ଅନୁରୋଧ କରୁଛି ମୋତେ କ୍ଷମା ଦେ । ସେ ପାଗଳୀ କାହିଁଗଲା । ସଖା ! କାହିଁ ସେ ଚତୁରୀ ।

ଜୟନ୍ତ

-

ସଖା ଗୋଟିଏ କଥା ପ୍ରକାଶ କରିବାକୁ ମନସ୍ଥ କରିଛି । କିନ୍ତୁ କୌଣସି କଷ୍ଟ ତୁମ ମନକୁ ଆସିବ ବୋଲି-ଅନିରୁଦ୍ଧ-ନା, ସଖା ତୁମ୍ଭେ ମୋର ପ୍ରାଣ । ତୁମ୍ଭ କଥାରେ ମୁଁ କି କେବେ ବିରକ୍ତ ହୁଏ, କହ ସଖା କଣ ?

ଜୟନ୍ତ

-

ରାମକୃଷ୍ଣ ବାଣାସୁରର ଘୋର ଶତ୍ରୁ ବୋଲି ତ୍ରିଲୋକେ ବିଖ୍ୟାତ, ତାର କନ୍ୟା କି ରୂପେ-

ଅନିରୁଦ୍ଧ

-

କହନା ସଖା, କହନା, ଅନିରୁଦ୍ଧର ଏକ ମାତ୍ର ଜୀବନ ସଙ୍ଗିନୀ ଉଷା; ଉଷା ମୋର ପ୍ରାଣ, ଉଷା ମୋର ଜ୍ଞାନ, ଦିଅ ସଖା ମୋର ପ୍ରିୟତମାର ଶ୍ରୀକର ଲିଖିତ ପତ୍ର ଖଣ୍ଡିକ ଦିଅ । ମୁଁ ହୃଦୟରେ ରଖି ତାପିତ ହୃଦୟ ଶୀତଳ କରିବି ।

ଜୟନ୍ତ

-

ସଖା ! ଯଦି ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ତେବେ ପରିଶେଷେ ବିଶେଷ ଦୁର୍ଘଟଣା ଘଟିବ । ଅନିରୁଦ୍ଧ-ଯାହା ଘଟିବ ଘଟୁ, ଅନିରୁଦ୍ଧର ହୃଦୟ ରାଜ୍ୟରେ ଅଧିକାରୀଣୀ ଏକମାତ୍ର ଉଷା ।

ଜୟନ୍ତ

-

ସଖା, ତେବେ ସେଠାକୁ କିପରି ଭାବରେ ଯିବ ?

ଅନିରୁଦ୍ଧ

-

ଛଦ୍ମବେଶେ ଯିବି ।

ଜୟନ୍ତ

-

ତାକି ହୋଇପାରେ ? ପ୍ରବଳ ଶତ୍ରୁର ପୁରେ ଏକାକୀ ଛଦ୍ମଭାବେ ଯିବା ଅନୁଚିତ । କିଛି ସୈନ୍ୟ ସଙ୍ଗରେ ନେଇ ଯାଆନ୍ତୁ ।

ଅନିରୁଦ୍ଧ

-

ଆବଶ୍ୟକ ନାହିଁ ଭାଇ ? ପିତାମହ ରାମ କୃଷ୍ଣ ଶ୍ରୀଚରଣ ପ୍ରସାଦେ ଅନିରୁଦ୍ଧ ହୃଦୟରେ ମହାଶକ୍ତି ଜାଗରିତ ଅଛି । ଏଇତ ସେଇ ରମଣୀ (ପାଗଳୀପ୍ରତି) ସୁନ୍ଦରୀ ! ତୁମ୍ଭେ ବଡ଼ ସୁନ୍ଦରୀ, ନିଅ ମୋତେ ତୁମ୍ଭ ସଖି ସହିତ ମିଳାଇ ଦିଅ ।

ପାଗଳୀ

-

ଆଚ୍ଛା, ମୋର ପୁରସ୍କାର ?

ଅନିରୁଦ୍ଧ

-

ମିଳନ ପର ।

ପାଗଳୀ

-

ଏ କି କଥା, ମୁଁ ଯେ ଏତେ ପରିଶ୍ରମ କରି ଆସିଛି ମୁଁ ଆଗେ ପାଇବା ଦରକାର ।

ଅନିରୁଦ୍ଧ

-

ତୁମ୍ଭେ କ’ଣ ପୁରସ୍କାର ଚାହଁ ।

ପାଗଳୀ

-

ତୁମ୍ଭେ କ’ଣ ଦେଇ ପାରିବ ?

ଅନିରୁଦ୍ଧ

-

ସୁନ୍ଦରୀ ! ମୁଁ ତୁମ୍ଭର ଉପକାରରେ ସନ୍ତୁଷ୍ଟ ହୋଇ ମୋର ପ୍ରାଣ ପର୍ଯ୍ୟନ୍ତ ତୁମ୍ଭଙ୍କୁ ଅର୍ପଣ କରିପାରେ ।

ପାଗଳୀ

-

ତୁମ୍ଭର ପ୍ରାଣରେ କ’ଣ ତୁମ୍ଭର ଅଧିକାର ଅଛି ? ପରା ଜଣକୁ ବିକ୍ରୀକରି ଦେଇଛ । ଛି ଛି ଅବିଶ୍ୱାସୀ ତୁମ୍ଭେ । ତୁମ୍ଭଙ୍କୁ ମୁଁ ସଙ୍ଗରେ ନେବି ନାହିଁ । ଯାଉଛି ସରଳା ଉଷାକୁ ମନାକରି ଦେବି । ସେ ଆଉ ତୁମ୍ଭ ପରି ନିଷ୍ଠୁର ଦତ୍ତାପହାରୀକୁ ତାର ହୃଦୟ ରାଜ୍ୟରେ ଆଶ୍ରୟ ଦେବ ନାହିଁ ।

ଅନିରୁଦ୍ଧ

-

କ୍ଷମାକର, ମୁଁ ଅଜ୍ଞାନ ।

ପାଗଳୀ

-

ସାବଧାନ, ଆଉଦିନେ ଏପରି କଥା କହିବ ନାହିଁ, ଆସ ବିଳମ୍ବରେ ପ୍ରୟୋଜନ ନାହିଁ ।

ଅନିରୁଦ୍ଧ

-

ସଖା ! ଘରକୁ ଯାଅ ଏ ଗୁପ୍ତ କଥା କାହା ଆଗେ ପ୍ରକାଶ କରିବ ନାହିଁ ମୁଁ ଆସୁଛି । ଚାଲ ଦେବୀ ।

ଜୟନ୍ତ-ହଉ ସଖା !

 

-

(ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ

ଉଷା

-

ସରଳା କାହିଁ, ଚିତ୍ରରେଖା ଫେରିଲା ନାହିଁ । କ’ଣ ମୋତେ ଭଣ୍ଡାଇ ଦେଇ ଚାଲିଗଲା । କଣ କରିବି ସଖି !

ସରଳା

-

ଆଜି ବୋଧହୁଏ ଫେରି ଆସିବ, ତୁମ୍ଭେ ଏତେ ବ୍ୟସ୍ତ ହୁଅନା ।

ଉଷା

-

ଗୀତ

କେତେ ନବଘନେ ଚାହିଁ ବସିଥିବି

କାହିଁକି ମୋ ବନ୍ଧୁ ନଇଲେ ଗୋ ।

କେଉଁ ଦୋଷ ଦେଖି       ଜୀବେଶ ମୋଠାରେ

ନିଷ୍ଠୁର ପଣକୁ ବହିଲେ ଗୋ ।

(ମୁଁ) କିଣା ଦାସୀ ବୋଲି            ଜଣାଇ ଦେଇଛି

ଦେଖିଲା ବେଳୁ ତାଙ୍କୁ ପହିଲେ ଗୋ । ୧ ।

 

ଛନ ଛନ ସଦା            ହୁଏ ଅପଘନ

ମନ୍ମଥ ବାଣେ ମୋତେ ଦହିଲେ ଗୋ ।

ରମଣୀ ପରାଣ            ବିହି ଅକାରଣ

କରିଛି କି ହେବ କହିଲେ ଗୋ । ୨ ।

 

ଉଷା

-

ସଖି ! କଣ କରିବି, ବିଧାତା ନାରୀ ଜନ୍ମ ଦେଇ ପୁଣି ଏଡ଼େ କଷଣ ଦେଇଛି ।

ସରଳା

-

ଜେମାମଣି ! ଶୁଣିଲଣି ଏଇ ସନ୍ନିକଟରେ ଚିତ୍ରରେଖାର ତୁଣ୍ଡ ଶୁଭୁଛି ।

 

-

( ଚିତ୍ରରେଖା ଗୀତ ଗାଇ ଗାଇ ପ୍ରବେଶ )

ନିଷ୍ଠୁର କପଟ ଲମ୍ପଟ ସେ ଶଠ

ଚିତ୍ତ ଚୋର କେଣେ ଗଲାରେ ।

ବିଚ୍ଛେଦ ଅନଳେ ସଙ୍ଗିନୀକୁ ମୋର

ଜଳାଇ ପୋଡ଼ାଇ ଦେଲାରେ । ପଦ ।

 

ଖୋଜି ଖୋଜି କେତେ ବନେ ଉପବନେ

ନିରାଶେ ଫେରିଲ ବିରସ ବଦନେ ।

ନ ମେଣ୍ଟିଲା ଆଶା            ଘଟିଲା ଦୁର୍ଦ୍ଦଶା

ପଡ଼ିଲାଣି ମନ୍ଦ ବେଳାରେ । ୧ ।

 

-

ସଖି ! ମୁଁ ଆସିଲିଣି ତୁଛାଟାରେ ବୁଲି ବୁଲି ଗୋଡ଼ରୁ ପାଣି ମଲା ।

ଉଷା

-

ସଖି ! କଣ ହେଲା ?

ଚିତ୍ରରେଖା

-

ଆଉ ହବ କ’ଣ, ମୁଁ ପରା ହେଲାନାହିଁ ବୋଲି କହୁଛି ।

ଉଷା

-

ସଖି ! ପାଇଲୁ ନାହିଁ ମୋର ପ୍ରାଣ ବନ୍ଧୁଙ୍କୁ, ପାଇଲୁ ନାହିଁ ତେବେ; ଏ ପ୍ରାଣ ଥାଇ କି ପ୍ରୟୋଜନ । ସଖି ! ତାଙ୍କରି ଲାଗି ଆଜି ନିଶ୍ଚେ ଆତ୍ମହତ୍ୟା କରିବି ।

ଚିତ୍ରରେଖା

-

ଜେମାମଣି ! ଧୈର୍ଯ୍ୟଧର, ଚିତ୍ରରେଖାର କାର୍ଯ୍ୟ ନିଷ୍ଫଳ ହୋଇନାହିଁ ।

ଉଷା

-

ତେବେ କାହାନ୍ତି ମୋ ବନ୍ଧୁ ?

ଚିତ୍ରରେଖା

-

ଏମିତି ଉଚ୍ଛନ୍ନ ହେଲେ କ’ଣ ହେବ, ଆଗେ ମୋ ପୁରସ୍କାର ଦିଅ ।

ଉଷା

-

ଚିତ୍ରରେଖା ! ତୋତେ ମୁଁ କି ପୁରସ୍କାର ଦେବି । ଏଇ ଚରଣ ଛୁଇଁ କହୁଛି ତୋ ନିକଟରେ ସଦାଦିନ ୠଣୀ ରହିଲି ।

ଚିତ୍ରରେଖା

-

ଆସ ତେବେ ମୋ ସଙ୍ଗରେ ଆସ ।

ଉଷା

-

ଚାଲ, ମୋ ନୟନ ପିତୁଳାକୁ ଦେଖା । (ପ୍ରସ୍ଥାନ)

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଦ୍ୱାରପାଳ ଦୁଇଜଣ)

୧ମ

-

ଆରେ ହେ ଗୋଟିଏ ମଜାର କଥା ଶୁଣିଲଣି ?

୨ୟ

-

କ’ଣ କ’ଣ କି କଥା !

୧ମ

-

ଆରେ ତୁ ଶୁଣିନାହୁଁ ।

୨ୟ

-

ମୋତେ ମୋ ମଲାବୁଢ଼ିମା ରାଣ, କୋଉ ଅସତ୍ୟା ମିଛ କହୁଛି ।

୧ମ

-

ଏ ମୋ ସାଙ୍ଗରେ ଚାଲାଖି ଖେଳୁଛୁ ? ହୋଇଲେ ମଲା ବୁଢ଼ୀମାଠେଇଁ ତୋର ଏତେ ସୁଆଗ ।

୨ୟ

-

ଆଉ କଣ ଜୀଅନ୍ତା ମଣିଷ ରାଣ ପକାଇବି । ତୁଇ ତ ଜାଣି ସିଆଣିଆ । ହେ କହ କହ, ମୁଁ ସତରେ କହୁଛି କିଛି ଜାଣେ ନାହିଁ ।

୧ମ

-

ଆରେ ରାଜଜେମାକୁ ଭୂତ ଧରିଛି, ଶୁଣିଲୁ ?

୨ୟ

-

ଏ କଣ କହିଲୁ ।

୧ମ

-

ଚୁପ୍ ଚୁପ୍ ।

୨ୟ

-

ଆରେ ସେ ଭୂତ କଥା ଶୁଣି ତ ପିଳେଇ ପାଣି ହୋଇ ଗଲାଣିରେ, ଆରେ ରାଜଜେମା ପାଖକୁ ସେ କେମିନ୍ତି କେଉଁ ବାଟେ ଗଲା ରେ ।

୧ମ

-

ଆରେ ଏଇବାଟେ ତ ଗଲା, କେଉଁବାଟେ ଯାଇଥାନ୍ତେ ।

୨ୟ

-

ଆରେ ମୁଁ ତ ବାଟରେ ଥିଲି ମୋତେ କାଳେ ଧରିଥାନ୍ତା ମୁଁ କ’ଣ କରିଥାନ୍ତି ।

୧ମ

-

ଚୁପ୍ କର, କାହିଁରେ ଯାଇଁ କଣ କଥା ହେଲାଣି ।

୨ୟ

-

ଆଉ କ’ଣ କଥାରେ ?

୧ମ

-

ଆରେ ରାଣୀ ମହଲକୁ କିଏ କେଉଁବାଟେ ଯାଇ ଜେମା ସଙ୍ଗରେ ଗୋଟିଏ ଘଟଣା ନଗେଇ ଦେଇଛି ।

୨ୟ

-

ସେ କି ଘଟଣା ?

୧ମ

-

ଆରେ ସେ ବଡ଼ ମୁସୁକୁଲି ଘଟଣା । ତୁ ସେଥିରୁ କଣ ପାଇବୁ ।

୨ୟ

-

ହେ କଣ ଘଟଣା । କଣ କହ କହ ?

 

-

ହେଇତ ଭୂତ, ଆରେ ବାବାରେ ମୋତେ ଧରରେ ଖାଇଲାରେ । (୧ମକୁ କରକାଛି ଧରିବା)

୧ମ

-

ଆରେ ରହ ।

୨ୟ

-

ଆରେ ରହିବି କଣରେ, ଦିଟାତ କଳା ମଚ୍ ମଚ୍ ହୋଇ ଆମରି ଆଡ଼କୁ ମାଡ଼ି ଆସୁଛନ୍ତି; ଇଲୋ ବୋଉଲୋ ।

୧ମ

-

ଆରେ ରହ କେହି ଚୋର କେହି ତସ୍କର, ଆରେ ଦେଖ ।

୨ୟ

-

ଆଉ ଦେଖିବି କଣରେ, ମୋ ଆଖିରୁ ତ ଜୁଳୁଜୁଳିଆ ପୋକ ବାହାରି ଗଲାଣି ରେ, ମୋ ଦିହରେ ଟିକେ ହାତ ପକାରେ ।

୧ମ

-

ତୁ ତ ଗୋଟାଏ ଛେରୁଆ ଲୋକଟା, ତୁ ଦରୁଆନ କାର୍ଯ୍ୟ କଣ କରିବୁ ।

୨ୟ

-

ଆରେ, ମୁଁ ବାପ ମା’ର ଏକଇର ଧନ, ବିଶିକେଶନ । ମୋ ନାଟି ବୃନ୍ଦାବନ, ଆମେ ଦେଖିବାକୁ ସଳଖ ସୁନ୍ଦର ଚିକ୍‌ଣ ଚାକଣ, କାର୍ଯ୍ୟ ବେଳକୁ ହଡ଼ାବଳଦ ଠାରୁ ହୀନ ।

୧ମ

-

ଆରେ କିଏ ସେ ତାକୁ ପଚାରିବା, ତୁ ଟିକେ ମୋତେ ଛାଡ଼ିଦେ ।

୨ୟ

-

କିଏ କଣରେ ଏ ତ ଦିଟା ମାଇକିନିଆ ଭୂତରେ, ଇଲୋ ମୋ ବୋଉ ବାପା ।

୧ମ

-

ଆରେ ରହ (ନେପଥ୍ୟେ ଚାହିଁ) କିଏ ସେ ?

ଚିତ୍ରରେଖା

-

କେହି ନୁହେଁ ଆମେ ।

୧ମ

-

ଏ ଆଡ଼କୁ ଆସିବା ଅଭିପ୍ରାୟ କଣ ? ଶୀଘ୍ର ପରିଚୟ ଦିଅ ?

ଚିତ୍ରରେଖା

-

ମୁଁ ଚିତ୍ରରେଖା ମନ୍ତ୍ରୀକନ୍ୟା, ଏ ଜଣକ ମୋ ସହଚରୀ ।

୧ମ

-

ଆଚ୍ଛା, ଏତେ ରାତିରେ କି କାର୍ଯ୍ୟରେ କେଉଁ ଆଡ଼େ ଯାଇଥିଲ ?

ଚିତ୍ରରେଖା

-

ବେଶି କହିବାର ପ୍ରୟୋଜନ ନାହିଁ, ତୁ ଆମ୍ଭଙ୍କୁ ଛାଡ଼ିଦେ, ନେ ଏତକ ପୁରସ୍କାର ନେ ।

୧ମ

-

ରାଜାଙ୍କ ହୁକୁମ ମୁଁ ଅମାନ୍ୟ କରିବି ନାହିଁ । ତୁମ୍ଭଙ୍କୁ ଗିରଫ କରି ଗାରଦରେ ରଖିବି ।

୨ୟ

-

(ପ୍ରଥମକୁ ଆଖିମାରି) ଟଙ୍କାଯାକ ରଖ ବେ ।

ଚିତ୍ରରେଖା

-

ତୋର ଚରଣ ଧରୁଛି, ନେ ଏ ପୁରସ୍କାର ନେ ଆମ୍ଭଙ୍କୁ ଛାଡ଼ି ଦେ ।

 

-

(ଚିତ୍ରରେଖା ଓ ଅନିରୁଦ୍ଧ ପ୍ରସ୍ଥାନ)

୧ମ

-

ଆଚ୍ଛା ଯାଅ, କିନ୍ତୁ ଫଳରେ ଭଲ ନୁହେଁ ।

୨ୟ

-

ହେ ମୋତେ ଦବୁ, ଦଉ ନାହୁଁ ।

୧ମ

-

ତୋର କ’ଣ ? ମୁଁ ଉପାୟ କଲି ତୋତେ ଲେମ୍ବୁଟା ଦେବି ।

୨ୟ

-

ମୁଁ ମହାରାଜାଙ୍କୁ କହିଦେବି ।

୧ମ

-

ଯା କ’ଣ କହିବୁ କହ । ମୁଁ କିଛି ଦେବି ନାହିଁ ।

୨ୟ

-

ଦବୁତ, ଦବୁ ନାହିଁ କାହିଁକି ?

୧ମ

-

କିଛି ଦେବି ନାହିଁ ।

୨ୟ

-

ଅଲବତ୍ ଦବୁ ।

୧ମ

-

ନାଁ,

୨ୟ

-

ନାଁଆନା, ନା ।

୧ମ

-

ସେମିତି ଦିଗ୍‌ଦାର କରୁଛୁ ନଗେଇବି ଧରି ଦିଟା ।

୨ୟ

-

ନଗେଇବୁ ନା ନଗେଇବୁ, ମାଇଲୁ ( ପିଠି ଦେଖାଇବା )

୧ମ

-

(ବିଧା ପ୍ରଦାନ) ଏଇ ଦେଖ ନଗେଇଲି ।

୨ୟ

-

କାହିଁକି ଗୋଟାଏ ସେମତି ହାତ ହଲାଉଛୁ ବା ଦେ କଣ ଦେ ।

୧ମ

-

ଥରେ କହିଲି ଦେବି ନାହିଁ ପୁଣି କ’ଣ ମାଡ଼ ମୁଲାଉଛୁ ।

୨ୟ

-

(ଜୋରେ) କଣ କହିଲୁ ମାରିବୁ, ମାଇଲୁ କେମିତି । (ମାରିବାକୁ ପିଠି ଦେଖାଇବା)

୧ମ

-

କେବେ ତ ଛୁଇଁଯିବୁ ନାହିଁ ।

୧ମ

-

ତୁ ଗୋଟାଏ ମାଡ଼ୁଆଟା ପୁଣି ମାଇଲି । (ମାଡ଼ ପ୍ରଦାନ)

୨ୟ

-

ଏ ତୋ ବାପ ଅଜା ଚଉଦ ପୁରୁଷ ମାରିଥିଲା ?

୧ମ

-

କିରେ ମୋ ବାପ ନା ଧଇଲୁ, ଦେଖ୍ ତତେ ଧରମ ଛାଡ଼ିଲା ।

୨ୟ

-

କଣ ତୁ ମୋ ଦେହରେ ହାତ ନଗେଇବୁ, ଛୁଇଁଲୁ ଭଲା ।

୧ମ

-

(ନାଗ୍ ନାଗ୍ ଦଶ ପନ୍ଦର ବିଧା ଦେବାରୁ ୨ୟ ପ୍ରଥମର ଗୋଡ଼କୁ ଧରି ଫୋପାଡ଼ି ଦେବା ଓ ପଳାୟନ)

୨ୟ

-

ନାହିଁ, ଏ ମୂଢ଼ ନିଶ୍ଚେ ମହାରାଜାଙ୍କୁ ଏ ଗୁପ୍ତ କଥା କହିଦେବ । ମୁଁ କାହିଁକି ଚିହ୍ନା ପଡ଼ିବି ଯାଉଛି, ସବୁକଥା ପ୍ରକାଶ କରିଦେବି ।

 

-

(ପ୍ରସ୍ଥାନ)

 

Unknown

ଦ୍ୱିତୀୟ ଦୃଶ୍ୟ

( ଅନିରୁଦ୍ଧ ଓ ଉଷା ଏକତ୍ରେ ଆସୀନ )

ଅନିରୁଦ୍ଧ

-

ହୃଦୟ ତୋଷିଣି ! ଆଜି ହରଗୌରୀ ପ୍ରସାଦରୁ ମନର ବିଷାଦ ଓ ହୃଦୟର ଅନନ୍ତ ଦୁଃଖ ଦୂର ହୋଇ ଯାଇଛି, ସଖି ! ପୁନର୍ବାର ଯେ ଚନ୍ଦ୍ରବଦନ ନିରୀକ୍ଷଣ କରିବି ଏ ଆଶା ମନରେ ସ୍ଥାନ ପାଇନାହିଁ । କେଜାଣି କାହାର ଏ ଲୀଳା, କେ ଜାଣେ କାହାର ଏ ଅତି ଆଶ୍ଚର୍ଯ୍ୟ ଖେଳା, କିଏ ଆମ୍ଭଙ୍କୁ ନିଶାର୍ଦ୍ଧରେ ଅପୂର୍ବ ମିଳନ କରାଇଥିଲା, ପୁଣି କାହାଦ୍ୱାରା ଆଜି ଏ ଶୁଭମିଳନ ହେଲା ତା ମୁଁ କିଛି ଭାବି ପାରୁନାହିଁ । ଏ ସମସ୍ତ ମୋତେ ମାୟା ପରି ଜଣାଯାଉଛି ।

ଉଷା

-

ନାଥ । କ୍ଷୀଣବୁଦ୍ଧି ଅବଳାର କି ଶକ୍ତି, କଣ ବୁଝିବ । ତେବେ ବିନା ମହାମାୟାର ଅନୁଗ୍ରହ ନ ହୋଇଥିଲେ ଆମ୍ଭର ଏ ମିଳନ ଘଟି ନ ଥାନ୍ତା ।

ଅନିରୁଦ୍ଧ

-

ମୋର ସେହି ବିଶ୍ୱାସ, ଏ କିଏ ନନ୍ଦିନୀ ମାନେ ଆସିଲେ ପରା ?

 

-

 

(ନନ୍ଦିନୀମାନେ ଗୀତ ଗାଇ ଗାଇ ପ୍ରବେଶ)

ଦେଖ ଦେଖ ସଖି            ଦେଖ ଗୋ ଥରେ ନିରେଖି

ବିଧୂମୁଖୀ ଉଷା କୋଟି ନିଧି ଲଭିଛି ।

ଆସ ଆସ ସର୍ବେ ମିଳି      ଦେଖିବା ଏ ମିଳନ

ନାଗରୀ ନାଗର ସାଜିଛନ୍ତି କେଡ଼େ ଯତନ ।

ଚିରଦିନ ଏ ପ୍ରେମ            ରହୁ ନୋହୁ ବିଚ୍ଛିନ୍ନ

ପ୍ରେମର ବନ୍ଧନ ସାରା ସଂସାରରେ ଲାଗିଛି ।।

 

ଚିତ୍ରରେଖା

-

ଯୁବରାଜ ! ମୋର ଗୋଟିଏ ପ୍ରାର୍ଥନା ଅଛି, ସେ ପ୍ରାର୍ଥନାଟି ଆପଣ ପୂରଣ କରିବେ । ଅନିରୁଦ୍ଧ-ଅଧୀନସ୍ଥ ବ୍ୟକ୍ତିକୁ ବିନୟ କରି କହିବାର କିଛି ନାହିଁ । ଯାହା ତୁମ୍ଭର ଇଚ୍ଛା ପ୍ରକାଶ କର ।

ଚିତ୍ରରେଖା

-

ଆମ୍ଭର ଯେ ପୁରସ୍କାର ବାକିଅଛି ।

ଅନିରୁଦ୍ଧ

-

ଆଚ୍ଛା କଥା, ତୁମ୍ଭେ ବିବେଚନା କରି ମାଗିନିଅ ।

ଚିତ୍ରରେଖା

-

ଯୁବରାଜ ! ଏ ହତଭାଗିନୀ ସଖିମାନଙ୍କୁ ଆପଣଙ୍କ ମନରୁ ଭୁଲିବେ ନାହିଁ ।

ଅନିରୁଦ୍ଧ

-

 

ମୁଁ ତୁମ୍ଭ ନିକଟରେ ସଦା ଋଣୀ ।

(ନେପଥ୍ୟେ ବାଣାସୁର)

ଶୁଣିଲି ଶୁଣିଲି ଯା, ସତ୍ୟ ଯେବେ ହୋଇଥାଏ

ତାହା, ବଧିବି ବଧିବି ନିଶ୍ଚେଁ ଦୁଷ୍ଟା ଦୁହିତାକୁ ।

 

-

( ସମସ୍ତେ ତଟସ୍ଥ ) ଓଃ,ଚିତ୍ରରେଖା-ସର୍ବନାଶ, ସର୍ବନାଶ, ଦାନବରାଜା କେଉଁଠାରୁ ସନ୍ଧାନ ପାଇ ଏ ସ୍ଥାନକୁ ଆସିଲେ, କଣ ଉପାୟ ।

ଉଷା

-

ସଖି ! ସଖି କଣ କରିବି, ପିତା ମୋର ବଡ଼ ନିର୍ଦ୍ଦୟ, ବଡ଼ ନିଷ୍ଠୁର । ମୋର ପ୍ରାଣ ଯଦି ଯାଏ ତେବେ କିଛି ଭାବନା ନାହିଁ, ତୁମ୍ଭେ ହୃଦୟେଶ୍ୱରଙ୍କୁ ରକ୍ଷାକର ।

ଅନିରୁଦ୍ଧ

-

ବିଧୂମୁଖି ! ଚିନ୍ତା କରନାହିଁ, ମୁଁ ଆପେ ଆପେ ସତର୍କ ହେବି ।

ବାଣା

-

ପ୍ରହରି ! ଦେଖ ବେଗେ କାହିଁ ସେହି କୁଳକଳଙ୍କିନୀ, କାହିଁ ସେହି ଦୁର୍ମତି ତସ୍କର ।

ପ୍ରହରୀ

-

ମହାରାଜ ! ଏଇ ଦେଖନ୍ତୁ ଚୋରପରି କିପରି ମୁଣ୍ଡକୁ ତଳକୁ ଦେଇ ନେପେଟେଇ ପଡ଼ିଛି ।

ବାଣା

-

ପ୍ରହରି ! ଦୁରାଚାରେ ଶୀଘ୍ର ଲୌହ ଶୃଙ୍ଖଳରେ ବନ୍ଧନକର ।

ଅନିରୁଦ୍ଧ

-

ଦାନବରାଜ ! ଯଦୁବଂଶୀୟ ବୀର ସାମାନ୍ୟ ପ୍ରହରି ହସ୍ତେ ବନ୍ଧନ ହେବା ମିଥ୍ୟା ।

ବାଣା

-

ଏ, ତୁହି ଯଦୁବଂଶୀୟ ? ଗୋପାନ୍ନଭୋଗୀ ରାମକୃଷ୍ଣଙ୍କ ବଂଶଜ ?

ଅନିରୁଦ୍ଧ

-

ଆର୍ଯ୍ୟ ! ରାମକୃଷ୍ଣଙ୍କର ପୌତ୍ର ପଦ୍ମନର ପୁତ୍ର ମୁହିଁ ଅନିରୁଦ୍ଧ

ବାଣା

-

ଆରେ ଚୋରଙ୍କ ସର୍ଦ୍ଧାରର ତୁ ନାତି, ତେବେ ତୋର ଏ ପ୍ରକୃତି ନ ହେବ ବା କାହିଁକି ? ଶୁଣୁଛୁ ପ୍ରହରି ! କୃଷ୍ଣ ଯେ ଲବଣୀ ଚୋର, ବସନ ଚୋର, ମନଚୋର । ଏ ଗୋଟିଏ ତା ବଂଶରେ ମହାଚୋର ! ଆରେରେ ପାଷାଣ୍ଡ ବାଳକ, ତୁ କି ସାହସେ ତ୍ରିଭୁବନ ବିଜୟୀ ବାଣାର ଗୃହରେ ପ୍ରବେଶ କଲୁ, ଜାଣୁ ଦାନବ ରାଜ ମନେକଲେ କ୍ଷୁଦ୍ର ଯଦୁକୁଳ ସମୂଳେ ଉତ୍ପାଟନ କରି ନିମିଷକ ମଧ୍ୟରେ ସାଗର ଗର୍ଭରେ ମାଡ଼ି ଦେଇପାରେ ।

ବାଣା

-

(ଗୀତ)

ଆରେରେ ମେଞ୍ଚଡ଼ା            ଖେଚଡ଼ା ପଣତୋ

ଭାଙ୍ଗିଦେବି ନିଶ୍ଚେ ଆଜିରେ ।

ତୁ କେଉଁ ସାହସେ            ପଶି ମୋର ବାସେ

ବିଷ ଖାଉଛୁ ତୁ ରାଜିରେ ।।

 

 

-

ପ୍ରହରୀ ! ତୁ ପାପିନୀ କନ୍ୟା ଓ ତାର ସହଚରୀମାନଙ୍କୁ ବନ୍ଧନ କରି ଶୀଘ୍ର କାରାଗାରେ ନେଇ ଯା, ମୁଁ ଏ ମୂର୍ଖର କୌତୁକ ଦେଖୁଛି ।                                          (ପ୍ରହରୀ ବାନ୍ଧିବାକୁ ଉଦ୍ୟମ)

ଅନିରୁଦ୍ଧ

-

କାର ସାଧ୍ୟ କେ ବନ୍ଧନ କରିବ, ଦେଖେଁ ।

ବାଣା

-

କି ନରାଧମ ! ତ୍ରିଭୁବନ ବିଜୟୀ ବାଣାର ସମ୍ମୁଖେ ଏତେ ଦୂର ଅହଙ୍କାର କଥା, ଦୁର୍ମତି ! ଆଜି ଦେଖିବି, ତୋର ପାପର ସମୁଚିତ ଦଣ୍ଡ ବିଧାନ କରିବି, କେ ତୋତେ ରକ୍ଷା କରିବ ?

ଅନିରୁଦ୍ଧ

-

ବୃଥା ବାକ୍‌ଯୁଦ୍ଧରେ ପ୍ରୟୋଜନ କଣ ? ଯେବେ ବୀର ତେଜ ହୃଦୟରେ ଅଛି, ଯେବେ ତ୍ରିଜଗତେ ବିଜୟୀ ବୋଲି ମନେ ମନେ ଗର୍ବ କରୁଛୁ ତେବେ ଧର ଅସ୍ତ୍ର, ଫଳାଫଳେ ଦେଖାଯିବ ସବୁ ।

ବାଣା

-

ମେଞ୍ଚଡ଼ ଖଣ୍ଡେ, ତୁ ଏତେ ଯୁଦ୍ଧ ଜାଣୁ, ଧର ଅସ୍ତ୍ର ।

ଅନିରୁଦ୍ଧ

-

ପ୍ରସ୍ତୁତ ମୁଁ ।

 

-

(ଉଭୟର ଯୁଦ୍ଧ, ବାଣା ହସ୍ତରୁ ତରବାରି ଖସି ପଡ଼ିବାରୁ ବାହୁଯୁଦ୍ଧେ ବାଣାର ପତନ)

ଅନିରୁଦ୍ଧ

-

(ଉଷା ପ୍ରତି) ପ୍ରିୟତମେ ! ତୁ ପିତାର ଶୁଶ୍ରୂଷା କର । [ସମସ୍ତେ ଶୁଶ୍ରୂଷା କରିବା]

ବାଣା

-

ଓଃହୋ, କି ନିଦାରୁଣ ଯାତନା । ଶରୀର ଅବସନ୍ନ ହୋଇ ଯାଉଛି କଣ ହେଲା, ଓଃ !

ଉଷା

-

ପିତା ! ପିତା ! ଏପରି ହେଉଛ କାହିଁକି ? (ଆଉଁଷିବା)

ବାଣା

-

ଏଁ, କିଏ ପିତା ପିତା ବୋଲି ଡାକିଲା ? ମୋର ଆରାଧ୍ୟ ଦେବୀ ଗୌରୀ, ମା ! ମା !! ତୁ ମୋର ମା ହୋଇ ମୋତେ ପିତା ବୋଲି ଡାକିଲୁ କାହିଁକି ? ଅଧମ ସନ୍ତାନକୁ ପିତା ବୋଲି ସମ୍ବୋଧନ କରିବା କ’ଣ ତୋର ଉଚିତ ? ହଉ ହେଲା, ଯେବେ ପିତା ବୋଲି ଡାକିଲୁ ତେବେ ଆଉ ଥରେ ପିତା ପିତା ବୋଲି ଡାକ ?

ଉଷା

-

ପିତା ! ମୁଁ କୈଳାସବାସିନୀ ଦୁର୍ଗା ନୁହେଁ । ମୁଁ ଆପଣଙ୍କ ହତଭାଗିନୀ କନ୍ୟା ଉଷା । ମୁହିଁ ପିତା ପିତା ବୋଲି ଡାକୁଛି

ବାଣା

-

କିଏ ତୁ, ବାଣା କନ୍ୟା ଉଷା, ନା ବିଶ୍ୱାସ ନୁହେଁ, ତୁ ମୋର ଆରାଧ୍ୟ ଦେବୀ ଦୁର୍ଗା !

ଉଷା

-

ପିତା ! ମୁଁ ଉଷା, ଆପଣଙ୍କ ଦୁଃଖିନୀ କନ୍ୟା ଉଷା ।

ବାଣା

-

ତୁ ଉଷା, ଲୋ ପାପିନି ! କି ଲାଗି ମୋ ଅଙ୍ଗ ସ୍ପର୍ଶ କଲୁ । କୁଳକଳଙ୍କିନୀ, ଦୋଚାରୁଣୀ ମୂଢ଼ା, କାହିଁକି ମୋର ଅଙ୍ଗରେ ହସ୍ତ ଦେଲୁ । ରାକ୍ଷସୀ ଦୂର ହୁଅ । ପ୍ରହରି !

 

-

କାହିଁଗଲା ସେ ମୂର୍ଖ ଅନିରୁଦ୍ଧ, ଏହିବାର ତାର ସମୁଚିତ ଦଣ୍ଡ ବିଧାନ କରିବି ।

ଅନିରୁଦ୍ଧ

-

ବୀରବର ! ଏହି ଯେ ତୁମ୍ଭ ସମ୍ମୁଖରେ ବାଣା ବିଜେତା ଅନିରୁଦ୍ଧ ଦଣ୍ଡାୟମାନ ।

ବାଣା

-

କ’ଣ କହିଲୁ ବାଣାବିଜେତା ? ହାଁ ହାଁ, ଉନ୍ମାଦର କଥା, କିଏରେ ଏପରି ବଳବାନ୍, କାହାର ଶକ୍ତି କେ ପାରେ ଜିଣି ମୋତେ ସମ୍ମୁଖ ସମରେ ।

ଅନିରୁଦ୍ଧ

-

ମୁହିଁ, ମୁହିଁ ଚିହ୍ନି ନାହୁଁ ।

ବାଣା

-

ତୁହି, ତୁହି, ଆରେ ମୂର୍ଖ ! ଶଶକ ଜିଣିବ ରଣେ ମୃଗେନ୍ଦ୍ର କେଶରୀ ? ମୂଷିକ ଟଳାଇ ପାରେ ବିନ୍ଧ୍ୟ ପର୍ବତକୁ ? ଦୁଗ୍‌ଧପୋଷ୍ୟ ଶିଶୁ ତୁହି, ଅନ୍ତୁରି ଗନ୍ଧ ତୋହର ଛାଡ଼ି ନାହିଁ ଦେହୁଁ ।

ଅନିରୁଦ୍ଧ

-

ଶୁଣ ଦୈତ୍ୟବର ! ମୃତ୍ୟୁ ତବ ଆଜି ହସ୍ତେ ମୋର, ତୋତେ ହରାଇଲି ରଣେ, ତେବେ ସୁଦ୍ଧା ହୋଇ ନାହିଁ ଜ୍ଞାନ, ଏଥରକ ଆଉ ନାହିଁ ପରିତ୍ରାଣ ।

ବାଣା

-

କି କହିଲୁ ଶିଶୁ ! ସମରେ ତୁ ଜିଣିଅଛୁ ମୋତେ ? ଆଚ୍ଛା ଭଲକଥା, ଏହିବାର ଜୟ ପରାଜୟ ହୋଇବ ନିଶ୍ଚୟ, ଧର ଅସ୍ତ୍ର ।

ଅନିରୁଦ୍ଧ

-

ପ୍ରସ୍ତୁତ (ଯୁଦ୍ଧରେ ଅନିରୁଦ୍ଧ ପତନ)

ବାଣା

-

ପାମର ! ଏଥର କେଣେ ଯିବୁ ? ପ୍ରହରି ! ଶୀଘ୍ର ନାଗଫାଶରେ ବନ୍ଧନ କର, ଦୁରାଚାର ! ସେ ପୂର୍ବବଳ ପୂର୍ବତେଜ କାହିଁ, ଏଇଥର ମୂର୍ଖକୁ ଉପଯୁକ୍ତ ଶାସ୍ତି ପ୍ରଦାନ କରିବି । ନିଅ ଶୀଘ୍ର କାରାଗାରେ ।

ପ୍ରହରି

-

ଯେମିତି ଉଲୁକାପାତ ସେମିତି ଚିତ୍‌ପଟ । (ବନ୍ଧନ କରିବା)

ଉଷା

-

ପ୍ରହରି ! ବାନ୍ଧନା ବାନ୍ଧନା, ସୁକୋମଳ ହସ୍ତପଦକୁ ବନ୍ଧନ କରନା ।

ବାଣା

-

କି ପାପିନୀ କୁଳକଳଙ୍କିନି ! ବାନ୍ଧିବ ନାହିଁ, ପ୍ରହରି ବାନ୍ଧ ଶୀଘ୍ର ।

ପ୍ରହରି

-

ଯେ ଆଜ୍ଞା । (ଅନିରୁଦ୍ଧେ ବାନ୍ଧିବା)

ବାଣା

-

ପ୍ରହରୀ ! ଶୀଘ୍ର କାରାଗାରେ ପାଷାଣ୍ଡକୁ ନେଇ ପୁନଶ୍ଚ ଫେରିଆ ।

 

-

(ପ୍ରହରୀ ଅନିରୁଦ୍ଧେ ନେଇ ପ୍ରସ୍ଥାନ)

ବାଣା

-

ହତଭାଗିନୀ ! ମୁଁ ଯେବେ ଆଗରୁ ଜାଣିଥାନ୍ତି ତୁ ଦାନବ କୁଳ କଳଙ୍କିନୀ ତେବେ ତୋତେ ଆଜି ପର୍ଯ୍ୟନ୍ତ ମୋ ଗୃହରେ ଆଶ୍ରୟ ଦେଇ ନ ଥାନ୍ତି । ଓଃ କି ଲଜ୍ଜାର କଥା, ଦୁହିତା ନଚେତ୍ ଅନ୍ୟ କେହି ହୋଇଥିଲେ ସ୍ୱହସ୍ତରେ ତୋର ମୁଣ୍ଡ ଖଣ୍ଡ ଖଣ୍ଡ କରିଥାନ୍ତି । ପ୍ରହରି ! ଶୀଘ୍ର ଏ ପାଷାଣ୍ଡୀକି ଓ ୟାର ସହଚରୀଗଣଙ୍କୁ ବନ୍ଦିକରି କାରାଗାରକୁ ନିଅ ।

ପ୍ରହରି

-

ଏ ଯେ ଆପଣଙ୍କର କନ୍ୟା ।

ବାଣା

-

ଚୁପ୍‌କର, ଯା ଆଜ୍ଞାଦେଲି ତା ଶୀଘ୍ର ପ୍ରତିପାଳନ କର ।

 

-

(ପ୍ରହରି ବାନ୍ଧିବା, ମନୋରମାର ପ୍ରବେଶ)

ମନୋରମା

-

ମହାରାଜ ! ମହାରାଜ ! ଏ କ’ଣ, ଏ କ’ଣ, କାହାର ବନ୍ଧନ । ଏ ଯେ ମୋର ପ୍ରାଣର ଦୁହିତା ଉଷା !

ବାଣା

-

କି ପ୍ରିୟେ ! କାହାକୁ କନ୍ୟା ବୋଲି ସମ୍ବୋଧନ କରୁଛ ? ସେ କନ୍ୟା ନୁହେଁ, କାଳ ଭୁଜଙ୍ଗିନୀ ।

ମନୋରମା

-

ମହାରାଜ ! ସବୁ ଶୁଣିଲିଣି, ସବୁ ଜାଣିଲିଣି ଏହିବାର କନ୍ୟାକୁ କ୍ଷମା ଦିଅନ୍ତୁ ।

ବାଣା

-

ସେ ଗୁରୁତର ଅପରାଧ, କ୍ଷମାନାହିଁ ! ପ୍ରହରୀ ? ବିଳମ୍ବ କାହିଁକି ?

ମନୋରମା

-

ଗୀତ

ନାଥ ହେ କ୍ଷମା ଦିଅ ଏଥର ।

ଦୁହିତା ମୋହରି            ଅତି ସୁକୁମାରି

ତା ପ୍ରତି ହୁଅ ଏଡ଼େ ନିଷ୍ଠୁର । ପଦ ।

ଦୁଃଖିନୀର ଧନ            ଅନ୍ଧୁଣୀ ନୟନ

ସେ ମୋ ଭିକ୍ଷାଝୁଲି ହେ ପ୍ରାଣେଶ୍ୱର ।

ଦେଖି ତା କଷଣ            ଧରିବି କି ପ୍ରାଣ

ଭକ୍ଷିବିଟି ନିଶ୍ଚେ ଆଜି ଜହର । ୧ ।

 

 

-

ନାଥ ! ଅଭାଗିନୀ ଉଷା ପ୍ରତି ଏ ନିଷ୍ଠୁର ଆଜ୍ଞା ଦିଅନା । ତାର ଦୁଃଖ ଦେଖି ମୋର ହୃଦୟ ବିଦୀର୍ଣ୍ଣ ହୋଇ ପଡ଼ୁଛି ।

ବାଣା

-

ସୁନ୍ଦରୀ ? ସେ ଦୁହିତା ନୁହେଁ, କାଳ ଭୁଜଙ୍ଗିନୀ । ତାକୁ ଚିରଦିନ ସେହି କାରାବାସ ।

ମନୋରମା

-

ଗୀତ

ହେ ପରାଣ ଧନ            ଧରୁଛି ଚରଣ

ମୋ ବିନତି ଘେନନ୍ତୁ ଏହିବାର ।

ଦଣ୍ଡିବାର ଶକ୍ତି            ଥାଇ ଯାର ତାର

କ୍ଷମା ଦେବାଟି ଉଚିତ ବେଭାର । ୨ ।

 

 

-

ନାଥ ! ଏ ଅଧୀନାର ଅନୁରୋଧ ରକ୍ଷା କରନ୍ତୁ, ଏଥର ସେ ସତର୍କ ହେବ ।

ବାଣା

-

କିଛି ଶୁଣିବି ନାହିଁ, ଉଷା ମୋର ସର୍ବନାଶ କରିଛି ।

ପ୍ରହରୀ

-

ହଜୁର, ଚାଲିଲି ।

ମନୋରମା

-

ମହାରାଜ ! କନ୍ୟାପ୍ରତି ଯେ ଆଦେଶ ଦେଲେ ଏ ଅଭାଗିନୀ ପ୍ରତି ସେଇ ଆଦେଶ ଦିଅନ୍ତୁ ।

ବାଣା

-

ଆପତ୍ତି ନାହିଁ, ତୁ ମଧ୍ୟ ସେଇ ପାପିନୀର ମାତା, ତୋତେ ତାଠାରୁ କଠିନ ଦଣ୍ଡ ଦେବା ଉଚିତ । ପ୍ରହରୀ ! ଏ ପାଷାଣ୍ଡୀକୁ ବନ୍ଧନ କରି କାରାଗାରେ ନିଅ ।

ଉଷା

-

ମା ତୁମ୍ଭେ କାହିଁକି ମୋ ଲାଗି ଏତେ ଦୁଃଖ ସହ୍ୟ କରିବ ?

ମନୋରମା

-

ଉଷା ! ତୁହି ମୋର ପ୍ରାଣ, ପ୍ରାଣ ବିଚ୍ଛିନ୍ନ ହୋଇଗଲେ ମୁଁ କେଉଁଠାରେ ରହିବି ?

ଉଷା

-

ମା ଦୟାମୟି ! ଦୁରିତନାଶିନୀ ଦୁର୍ଗେ ! ମୁଁ କାରାଗାରେ ଚାଲିଲି, କିନ୍ତୁ ଦେଖ ମା ! ମୋ ପ୍ରାଣ ପତିଙ୍କୁ ଆପଣ ରକ୍ଷା କରିବେ, ଏହିମାତ୍ର ଭିକ୍ଷା ।

ପ୍ରହରୀ

-

ମହାରାଜ ? ଦାନବ କୁଳଲକ୍ଷ୍ମୀଙ୍କ ହସ୍ତରେ ଲୌହ ଶିକୁଳି ଦେବା ଅନୁଚିତ ।

ବାଣା

-

କି ମୋର ମତରେ ବାଧା ।

ମନୋରମା

-

ମହାରାଜ ! ଆପଣ ଯେତେ କଷ୍ଟ ଦେବେ ତା ନିଶ୍ଚୟ ସହ୍ୟ କରିବି । ପତି ଇହକାଳରେ ଯାତନା ଦେଲେ ପତ୍ନୀ ପରକାଳର ଯାତନାରୁ ମୁକ୍ତ ହୋଇଯିବ । ଆପଣ କାରାଦଣ୍ଡ ଆଦେଶ ଦେଲେ ତହିଁରେ ମୋର କିଛିମାତ୍ର ଆପତ୍ତି ନାହିଁ । ଏଇଥର ବିଦାୟ ନେଲି ।

ବାଣା

-

ପ୍ରହରି ! କାଲି ପ୍ରଭାତରୁ ମୂର୍ଖ ଅନିରୁଦ୍ଧକୁ ଦକ୍ଷିଣ ଶ୍ମଶାନରେ ଯେ ଚଣ୍ଡୀଦେବୀ ଅଛନ୍ତି ସେଇଠାକୁ ନେଇଯିବୁ । ମୂର୍ଖକୁ ସେଇଠାରେ ବଳିଦେଇ ଚଣ୍ଡୀଦେବୀଙ୍କ ତୃଷା ନିବାରଣ କରିବି ।

ପ୍ରହରୀ-

-

ଯେ ଆଜ୍ଞା ।

 

-

(ଉଷା ଦୁର୍ଗା କହି ସମସ୍ତେ ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

 

-

(ଗୋବିନ୍ଦ ଦାସ, ବହ୍ଲବ ଦାସ, ଅନାଦି ଦାସ ଓ ପରମୁ ଦାସ ଭଜନିଆ ଖଞ୍ଜଣି ଓ ଚିଲମ ହସ୍ତେ)

ଗୋବିନ୍ଦ

-

ହଇହୋ ପରମୁ ଦାସ ! ରାତି ତ ଆସି ଏତେ ହେଲା ଡମ୍ବରୁ ଦାସ କାହିଁକି ଭିକ୍ଷାରୁ ଫେରି ନାହାନ୍ତି, ଏହାର କିଛି ମତଲବ ଜାଣ ?

ପରମୁ

-

ଆହେ, ଡମ୍ବରୁ ଦାସ ତ ଗୋଟିଏ ପେଟୁ ଧରିଲେଣି । କେଉଁଠି ମୁଠାଏ ଭୋଜନ ମିଳି ଯାଇଥିବ ସେଇଠି ରହି ଯାଇଥିବେ ।

ଅନାଦି

-

ପରମୁଦାସେ ଆମ୍ଭର ଏଇଠି ବସି ସବୁ କହି ପକାଉଛନ୍ତି, ଡମ୍ବରୁ ଦାସଙ୍କୁ ହରି କିଛି ବଡ଼ ବିପଦରେ ପକାଇ ଦେଇଛନ୍ତି ।

ଗୋବିନ୍ଦ

-

କ’ଣ, କଥା କ’ଣ ?

ପରମୁ

-

ଆହେ ଭଜନ କର, ଗଞ୍ଜେଇ କର, ମଣିଷ ବୁଲି ବୁଲି କରି ଆସିଲାଣି, ଟିକିଏ ପ୍ରଭୁଙ୍କ ନାମ କରିବା କି ଗଞ୍ଜେଇ କରିବା । ତା ନାହିଁ ଖାଲି ଡମ୍ବରୁ ଦାସ କୁଆଡ଼େ ଗଲେ, କହିଲ ଭଲା ଆମ୍ଭର ସେଥିରୁ କଣ ମିଳିବ ? କାହାଠେଇଁ ଚକ୍ରେ ଖଣ୍ଡେ ଅଛି ହାତରେ ପକାଇବା ।

ବହ୍ଲବ

-

ତମ ପାଖରେ ନାହିଁ କି ?

ପରମୁ

-

ଆମ ପାଖରେ ଦୁକ୍ତା ଅଛି, ଚିଲମ ଅଛି, ଗୁଳା ବି ତିଆରି ହୋଇଛି, କେବଳ ଗଞ୍ଜେଇ ନାହିଁ । ଭିକ୍ଷାରୁ ଫେରିଲା ବେଳକୁ ଦୋକାନ ବନ୍ଦହୋଇ ଯାଇଥିଲା । ଦେଲୁ ଦେଲୁ ଚକ୍ରେ ଖଣ୍ଡେ ହାତରେ ପକାଇବା, ମଣିଷ ପାଣି ହୋଇଗଲା ।

ଗୋବିନ୍ଦ

-

ଗୋଟାଏ କଥା ପଡ଼ିଥିଲା କଣ ? ଖାଲି ଗଞ୍ଜେଇ, ଗଞ୍ଜେଇ, ଗୋଟାଏ ସେତେବେଳୁ ହେଉଛି ।

ପରମୁ

-

ଏ ବଡ଼ ଭଲଲୋକ, ‘‘ଆହେ ଗଞ୍ଜେଇ, ମନକୁ ଦେବ ରଞ୍ଜେଇ, ଆକୁ ବରାବର ରଖିଥିବ ଖଞ୍ଜେଇ ।’’ ମହାପୁରୁଷମାନେ କହିଛନ୍ତି ‘‘ଯିଏ ନ ଖାଏ ଗଞ୍ଜେଇ ଧୂଆଁ ତା ବଉଁଶ ଘୋଡ଼ାମୁହାଁ ।’’

ଗୋବିନ୍ଦ

-

ତୁ ଗୋଟାଏ ଘୋଡ଼ାମୁହାଁ, କାହିଁକି ଏଠି ବକ୍‌ ବକ୍‌ ହଉଛୁ, ତୁ ଗଲୁ ।

ପରମୁ

-

ଆମେ ନ ଯିବୁ।

ଅନାଦି

-

ଅଲବତ ଯିବୁ ।

ପରମୁ

-

ଦିଅ ଗଞ୍ଜେଇ ଚକ୍ରେ ଦିଅ ଆମେ ଚାଲିଯିବୁ ।

ଗୋବିନ୍ଦ

-

ପରମୁଦାସ ହେ ଟିକିଏ କଣ ଗୋଟାଏ କଥା ପଡ଼ିଛି ଶୁଣ, ଅନାଦି କହିବଟି ସେ ଡମ୍ବରୁ କଥା ।

ପରମୁ

-

ଡମ୍ବରୁଟି ଆଗା ପିଛା ସମାନ ମଝିଟି ସରୁ, ତାଙ୍କ ନାଆଁଟି ଡିବି ଡିବି ଡମ୍ବରୁ ।

ଗୋବିନ୍ଦ

-

ତୁ ଉଠିଯା ଏଠୁ ଯା ନିକାଲ । (ତଡ଼ି ଦେବାରୁ)

ପରମୁ

-

ଆରେ ରହିଥା, ଆମେ ଏଇଥର ଚୁପ୍‌ହୋଇ ବସିଛୁ ।

ଅନାଦି

-

ପ୍ରତାପି ବାଣାସୁରର ହୁକୁମ, ଯେ ହରିନାମ ମୁଁହରେ ଧରିବ ତାକୁ ଛଅମାସ କାରାଦଣ୍ଡ । ବର୍ତ୍ତମାନ ଡମ୍ବରୁ ଦାସ ସେହି ଅପରାଧରେ ବନ୍ଦି ।

ପରମୁ

-

ହଁ ଡମ୍ବରୁ ଦାସ ଯେ ଆଗା ପିଛା ଦି ଆଡ଼େ ବାଜିଥିବେ ।

ଗୋବିନ୍ଦ

-

ଚୁପ୍‌କର, ହଇହୋ ଅନାଦି ଦାସେ । ଏ କଥା କଣ ସତ୍ୟ ?

ପରମୁ

-

ଅନାଦି ଦାସେ ! ଏ ଚିଲମ ଛୁଇଁ ନିୟମ କରି କହିଲ ।

ବହ୍ଲବ

-

ପରମୁ ! ତୁ ଗୋଟିଏ ମାଡ଼ୁଆଟିଏ ।

ଅନାଦି

-

ମହାରାଜାଙ୍କର ହୁକୁମ, ଏ ସଂସାରରେ ଯେତେକ ହରିଭକ୍ତ ଅଛନ୍ତି ସମସ୍ତଙ୍କୁ ବାନ୍ଧିକରି କାରାଦଣ୍ଡ ଦେବେ ।

ପରମୁ

-

ସତେ ରେ ? ନାହିଁରେ ବାପା ଆମର ସେ ହରିନାମରୁ କ’ଣ ମିଳିବ । ଆମର ବାବାଜି ହେବା ଯେତିକି ହେଲା ସେତିକି ।

ଗୋବିନ୍ଦ

-

ହଇ ହେ ପରମୁ ଦାସେ ! ତମେ ପରା ଡୋର କଉପୁନି ନେଇ ଆମ ବାବାଜି ଗୋଷ୍ଠିରେ ପଶିଛ, ଏତେ ବେଳକୁ ୟା କଣ କହୁଛ ?

ପରମୁ

-

ଆମେ କଣ ହରିନାମ ନବାକୁ ତମ ଗୋଷ୍ଠିରେ ପଶିଥିଲୁ ।

ଅନାଦି

-

ଆଉ ?

ପରମୁ

-

ଆହେ ଖାଲି ଗଞ୍ଜେଇ ଉଖୁଡ଼ା ଚୂଡ଼ାଘଷା କ୍ଷୀରି ସକାଶେ ପଶିଥିଲୁ, ନାମ କିଏ ? ଫାମ କିଏ ? ଆମର କାମ ଗଞ୍ଜେଇ ମଳିବା ଚିଲମେ ଭରିବା ଗୁଳା ଥୋଇବା ଆଉ ବଂ ବଂ ହର ହର କହି ଦିଦ୍‌ମ ମାରିଦେବା ।

ଗୋବିନ୍ଦ

-

ପରମୁ, କିଛି ଭୟ କରନା, ହରିନାମ ଯେ ନିଏ ତାର କିଛି କେହି କରି ପାରିବେ ନାହିଁ ।

ପରମୁ

-

ଆଚ୍ଛା ଡମ୍ବରୁ ଦାସ ! କିପରି ଡିବି ଡିବି ବାଜିଲେ ତାଙ୍କର ହରି ହରି ବୋଲି ପାଣି ଗଳୁ ନ ଥିଲା ।

ଗୋବିନ୍ଦ

-

ଆହେ ଈଶ୍ୱର ଯାହା କରନ୍ତି, ପ୍ରାଣୀର ମଙ୍ଗଳ ସକାଶେ କରନ୍ତି । ହଉ ରାତି ବେଶି ହେଲା ଭଜନଟିଏ କର ।

ପରମୁ

-

ଆଚ୍ଛା ଗଞ୍ଜେଇ ଟିକିଏ କର ।

ଅନାଦି

-

ଏଇଟା ଗଞ୍ଜେଇ ଗଞ୍ଜେଇ ହୋଇ ମରିଯିବ ।

ପରମୁ

-

ଆମେ ଗଞ୍ଜେଇ ଗଞ୍ଜେଇ ହୋଇ ମରିଯିବୁ ତମେ ଭାରି ଭଲଲୋକ । ସେ ଦିନ ଗଞ୍ଜେଇରୁ ଧୂଆଁ ବାହାରିଲା ନାହିଁ ବୋଲି ପରା ଚିଲମଟାକୁ କାମୁଡ଼ି ପକାଉଥିଲ ?

ବହ୍ଲବ

-

ଆଚ୍ଛା, ନାମ କର ।

 

-

(ଗୀତ)

ବାଇମନ ! ହରିନାମ କର ଦିବା ନିଶି ଧ୍ୟାନ ।

ହରି ନାମ ବିନା            ନାହିଁ ମୋକ୍ଷ କାହିଁ

(ହରି) ନାମାମୃତ ସଦା କର ପାନ । ପଦ ।

 

ଯେଉଁ ନାମ ଧରି ଧ୍ରୁବ ପ୍ରହଲ୍ଲାଦ,

ଲଭିଥିଲେ ହରି ପଦ ଅରବିନ୍ଦ;

ସେ ନାମ ମହିଁମା            କେ କଳିବ ସୀମା

(ସୁଖେ ଦୁଃଖେ) ହରିନାମ କର ଗାନ । ୧ ।

 

ପରମୁ

-

ଆରେ ଜଣେ କିଏ, ଗୁଳା ଲଗାଅ ।

ଗୋବିନ୍ଦ

-

ପରମୁଦାସ ତୁ ଗୋଟିଏ ମୂର୍ଖ ।

ପରମୁ

-

ହେ ମୂର୍ଖ ମୂର୍ଖ ମୋତେ କହୁଛ, ଜାଣିଥା ମୂର୍ଖ କାମ ଦେଖାଇ ଦେବି ।

ଅନାଦି

-

ହଇରେ, କ’ଣ ମୂର୍ଖ କାମ ଦେଖାଇ ଦେବୁ ।

ପରମୁ

-

ତୋ ନାକ ଦଣ୍ଡାରେ ବିଧେ ଦେବି । (ଠିକରା ଖୋଜି ହବା)

ବହ୍ଲବ

-

ଥାଉ, ସେଟା ବାଇଆ, ତୁମ୍ଭେ ନାମ କର ।

 

-

(ଗୀତ)

ଯେଉଁ ନାମ ଧରି ସୁଦାମା ଦରିଦ୍ର,

ଲଭିଥିଲା ଦିନେ ଅଭୟ ସମ୍ପଦ ?

ସେହି ବ୍ରହ୍ମପଦ            ଦୃଢ଼ କରି ଭଜ

ମାୟା ସଂସାରୁ ତରି ଯିବୁ ନିଶ୍ଚେ ଜାଣ ।

( ସମସ୍ତେ ହରିବୋଲ )

( ସେନାପତି ବିକ୍ରମାଦିତ୍ୟର ପ୍ରବେଶ )

 

ସେନାପତି

-

କିଏ ତୁମ୍ଭେ ପାପୀଗଣେ ! କିମ୍ପା କର ହରିନାମ ଗାନ । ଯଦି ବଞ୍ଚିବାର ଇଚ୍ଛା ଥାଏଟି ଜୀବନେ କର ସଦା ଗାନ ରାଜାଧିରାଜା ବାଣାସୁର ଯଶ କୀର୍ତ୍ତି, ତା ନ ହେଲେ ମୂକପରି ଗୃହେ ବସ ଯାଇଁ ।

ଗୋବିନ୍ଦ

-

ଆରେ ମୂର୍ଖ ? ସୁଧା ପୂର୍ଣ୍ଣ ହରିନାମରେ କି ମହିମା ତୁ ଜାଣୁ ? ଯେତେ ଦିନ ପର୍ଯ୍ୟନ୍ତ ପ୍ରାଣ ପକ୍ଷୀ ଏ ହୃଦୟ ପିଞ୍ଜରରେ ଅଛି ସେତେ ଦିନ ପର୍ଯ୍ୟନ୍ତ ହରିନାମ ଛଡ଼ା ଅନ୍ୟ କାମନା ଆମ୍ଭର ନାହିଁ ।

ସେନାପତି

-

ତୁମ୍ଭେ ଯେତେ ଅଛ ହରିଭକ୍ତ ଏଥି ବାନ୍ଧିକରି ନେବି, ଏହିକ୍ଷଣି କେଉଁ ହରି ରଖିବ ତୁମ୍ଭଙ୍କୁ ?

ପରମୁ

-

ମୁଁ ହରିଭକ୍ତ ନୁହେଁ ।

ସେନାପତି

-

ତୁ କିଏ ?

ପରମୁ

-

ମୁଁ ଗଞ୍ଜେଇ ଉଖୁଡ଼ା ଭକ୍ତ ।

ସେନାପତି

-

ଆଚ୍ଛା, ତୁମ୍ଭେ ବୈଷ୍ଣବ ନୁହେଁ ? ତେବେ ଏ ଗେରୁଆ ବସ୍ତ୍ର ଓ ରାମାହୁତି ଚିତାକାଟିବାର ଅଭିପ୍ରାୟ କଣ ?

ପରମୁ

-

ଏ ବେଶ ଓ ଚିତା କାଟିବା କେବଳ ବାବାଜିମାନଙ୍କ ପାଖରୁ ଗଞ୍ଜେଇ ଓ ଉଖୁଡ଼ା ଚିତାକାଟି ଖାଇବା ଉପାୟ ।

ସେନାପତି

-

ଆଚ୍ଛା, ତୁମ୍ଭ ଜୀବନରେ କି କି କାର୍ଯ୍ୟ କରିଛ ବା କରୁଛ ।

ପରମୁ

-

ଚୋରୀ ନାରୀ ଜୀବ ହିଂସା ଏ ମୋ ଜୀବନର ପେଶା ।

ସେନାପତି

-

ଆଚ୍ଛା ତୁମ୍ଭେ ଏମାନଙ୍କ ଗୋଷ୍ଠିର ନୁହଁ ?

ପରମୁ

-

ନା, ନା ମୋର ତାଙ୍କର ଜମୀନ ଆସମାନ ଫରକ ।

ସେନାପତି

-

କହ ବୈଷ୍ଣବ ଗଣେ ! ତୁମ୍ଭମାନଙ୍କର ମୃତ୍ୟୁଭୟ ନାହିଁ ।

ଅନାଦି

-

ମର୍ତ୍ତ୍ୟମଣ୍ଡଳେ ଦେହବହି,

 

-

ଦେବତା ହୋଇଲେ ମରଇ ।

ସେନାପତି

-

ନିର୍ବୋଧ ବୈଷ୍ଣବ ! ଶୀଘ୍ର ସେ ହରିନାମ ପରିତ୍ୟାଗ କର, ନଚେତ୍ ସନ୍ନିକଟରେ ତୁମ୍ଭର ମୃତ୍ୟୁ ହେବାର ଆଶଙ୍କା ।

ବଲ୍ଲବ

-

ଆରେ ଅଜ୍ଞାନ ! ମୃତ୍ୟୁ ଯେବେ ସନ୍ନିକଟ ହେବ ହରିନାମ ତେତେ ଉଚ୍ଚାରଣ କରିବୁ । ଆନନ୍ଦେ ଏକବାର ହରିବୋଲ, ହରିବୋଲ, ହରିବୋଲ । ( ସମସ୍ତେ ଏକ ସ୍ୱରରେ )

ସେନାପତି

-

ମୂର୍ଖ ! ମୋର ସମ୍ମୁଖରେ ବାରବାର ହରିନାମ, ଜାଣୁ ମୂର୍ଖ ମୁଁ କିଏ ?

 

-

(ପରମୁ ପ୍ରତି) ରେ ପାଷାଣ୍ଡ ! ତୁ ପରା ହରିଭକ୍ତ ନୋହୁ ବର୍ତ୍ତମାନ ଏମାନଙ୍କ ସଙ୍ଗରେ ହରିବୋଲ କହିଲୁ କିଆଁ ।

ପରମୁ

-

ମୁଁ ତ ହରିବୋଲ କହିନାହିଁ, ସେମାନେ କହିଲେ ହରିବୋଲ ମୁଁ ତାଙ୍କୁ ବୁଝାଇ ଦେଲି ଆରେ ମରିବ ।

ସେନାପତି

-

(ବୈଷ୍ଣବଙ୍କ ପ୍ରତି) ଆରେ ରେ ନିର୍ବୋଧ ବୈଷ୍ଣବ ! ଯଦି ସେ ହରିନାମ ତ୍ୟାଗ ନ କର ତେବେ ଏ ଶାଣିତ ଖଡ଼୍‌ଗରେ ତୁମ୍ଭମାନଙ୍କର ମୁଣ୍ଡ ଖଣ୍ଡ ଖଣ୍ଡ କରିବି ।

ଅନାଦି

-

ସମସ୍ତ ବିପଦରୁ ସେ ଦୟାମୟ ହରି ଉଦ୍ଧାର କରିବେ ହରି ଦୁର୍ବଳର ବଳ, ହରି ଅନାଥର ନାଥ, ହରିନାମ ବିନା ଏ ସଂସାରରେ କିଛି ନାହିଁ, ଆନନ୍ଦେ ଏକବାର ହରିବୋଲ । ( ସମସ୍ତେ ଉଚ୍ଚସ୍ୱରେ )

ସେନାପତି

-

ପାଷାଣ୍ଡ ଏଇଥର କେଉଁ ହରି ରକ୍ଷା କରିବ ଦେଖିବି ( ତରବାରୀ ଉଞ୍ଚାଇବା ସମୟରେ ହସ୍ତରେ ରକ୍‌କା ପଶିଯିବା ) । ଓହୋ ଓହୋ ଏ କଣ ହେଲା କଣ ଗୋଟାଏ ଛାତିରେ ପଶିଗଲା, ଓହୋ କି ନିର୍ଯ୍ୟାତନା, ଧର ମୋର ହସ୍ତ ଧର ।

ପରମୁ

-

( ଅଙ୍ଗଭଙ୍ଗୀରେ ସେନାପତିକୁ ଥଟ୍ଟା ) ମଲା ମଲା ।

ଗୋବିନ୍ଦ

-

ମୂର୍ଖ ସେଇ ତୋର ଉପଯୁକ୍ତ ଶାସ୍ତି; ହରିଭକ୍ତକୁ ଦଣ୍ଡ ଦେବାର ଫଳ ଏହି ।

ସେନାପତି

-

ଦିଅ ଦିଅ କ୍ଷମାଦିଅ, ଏହି ଯେ ପ୍ରାଣଗଲା, କ୍ଷମାଦିଅ ।

ଅନାଦି

-

ଆମ୍ଭମାନଙ୍କୁ କ୍ଷମା ମାଗିବା ଆବଶ୍ୟକ ନାହିଁ । ଯାହାଠାରେ ଦ୍ରୋହୀ ହୋଇଛ ତାଙ୍କୁ କ୍ଷମା ମାଗ । ଡାକ ସେହି ବିପଦ ଭଞ୍ଜନ କରୁଣା ନିଧାନଙ୍କୁ ଡାକ ।

ସେନାପତି

-

ନା ସେ ନାମ ମୋ ମୁହଁରେ ଆସୁନାହିଁ ।

ଗୋବିନ୍ଦ

-

କିପରି ଆସିବ, ତୁ ଯେ ଘୋର ପାପୀ, ଆଚ୍ଛା ଆଉ ଥରେ ଉଚ୍ଚସ୍ୱରେ ହରିବୋଲ କହ ।

ସେନାପତି

-

ନା, ସେ ନାମ ମୋ ତୁଣ୍ଡରେ ଆସୁନାହିଁ । ଦୟାକରି ମୋ ପାଇଁ ଥରେ ସେହି ହରି ( କ୍ଲେଶମୁକ୍ତ ) ଏ କଣ ହେଲା ମୋର ସେ କଷ୍ଟ କାହିଁ ଗଲା ! ମୁଁ ଯେ ଅସୀମ ଦୁଃଖରେ ଅସୀମ ! ଯନ୍ତ୍ରଣା ଲଭୁଥିଲି, ସେ କାହିଁ ଗଲା ? କି ଆଶ୍ଚର୍ଯ୍ୟ ସେ ହରିନାମ ତୁଣ୍ଡରେ କହିଲା ମାତ୍ରକେ ଏ ସମସ୍ତ ବେଦନା ଚାଲିଗଲା । ଧନ୍ୟ ସେ ନାମ । ବୈଷ୍ଣବ ଗଣେ ଥରେ ଏ ଅପରାଧୀ ଅନୁରୋଧ ରକ୍ଷାକରି ହରିବୋଲ ଉଚ୍ଚସ୍ୱରରେ ମୋ ନିକଟରେ ଡାକ । ( ବୈଷ୍ଣବଗଣେ ହରିବୋଲ )

ସେନାପତି

-

କି ଆନନ୍ଦ କି ଅସୀମ ପ୍ରେମ, ମୁଁ ବୃଥା ଅହଙ୍କାରରେ ମତ୍ତ ହୋଇ ଜଘନ୍ୟ ଘୃଣିତ କାର୍ଯ୍ୟରେ ପ୍ରବୃତ୍ତ ହୋଇଛି, ଧିକ୍ ମୋତେ, ଶତଧିକ୍ ମୋର ରାକ୍ଷସ ଗୃହରେ ଦାସତ୍ୱ କରିବା । ଆଜି ସେ ଜଘନ୍ୟ ଦାସତ୍ୱ ପରିତ୍ୟାଗ କରି ଶ୍ରୀ ହରିଙ୍କ ପଦ ପଙ୍କଜରେ ମନ ପ୍ରାଣ ଢାଳିଦେବି । ବୈଷ୍ଣବଗଣେ ! ମୁଁ ଅଧମ ଅଜ୍ଞାନବଶତଃ ତୁମ୍ଭମାନଙ୍କଠାରେ ଦ୍ରୋହୀ ହୋଇଛି । ମୋତେ କ୍ଷମାଦିଅ ।

ବୈଷ୍ଣବଗଣେ

-

ଯାଅ ବାବୁ ହରି ତୋର ମଙ୍ଗଳ କରିବେ ।

ସେନାପତି

-

ଆପଣମାନେ ଆପଣଙ୍କ କାର୍ଯ୍ୟରେ ଲାଗନ୍ତୁ ମୁଁ ମେଲାଣି ନେଉଛି । ( ପ୍ରଣାମ କରିଣ ପରମୁ ପ୍ରତି )

 

-

ପାଷାଣ୍ଡ ! ବର୍ତ୍ତମାନ ତୁହି ଦୋଷୀ ତୋତେ କାରାରୁଦ୍ଧ କରିବି । ଚାଲ ମୂର୍ଖ, ତୁ ମିଛରେ ବାବାଜୀ ବୋଲାଇ ଦୁନିଆ ଠକାଇ ବୁଲୁଛୁ । (ଘୋଷାରିବା)

ପରମୁ

-

ହେ ମୋତେ କୁଆଡ଼େ ନେଉଛ ? ହେ ଗୋବିନ୍ଦ ଦାସ ! କହ ମୋ ପାଇଁ ଟିକେ କହ ହେ ଅନାଦି ଦାସ ! ( ପ୍ରସ୍ଥାନ )

ବୈଷ୍ଣବମାନେ

-

ଦେଖ ହରିର କି ବିଚିତ୍ର ଲୀଳା । ( ସମସ୍ତେ ପ୍ରସ୍ଥାନ )

 

ଚତୁର୍ଥ ଦୃଶ୍ୟ

 

-

(ଜଣେ ପଣ୍ଡା କାଳୀମୂର୍ତ୍ତି ଧରି ଓ ଅନ୍ୟ ଜଣେ ଘଣ୍ଟ ଓ ଅନ୍ୟ ଜଣେ ମସାଲ ଘେନି ପ୍ରବେଶ କାଳୀ ସ୍ଥାପନ । ପଣ୍ଡା ଆଳତୀ ଓ ପୂଜା କରଣ । )

୧ମ ପଣ୍ଡା

-

ମା, ଖଣ୍ଡା ଖର୍ପରଧାରିଣୀ ମା ? ମା ଜଗତ ଜନନୀ ମହିଷାମର୍ଦ୍ଦିନୀ ମା, ଏ ବିକଳା ପଣ୍ଡା ପଢ଼ିହାରୀଙ୍କି ଘଣ୍ଟ ଘେରାଇ ଯା । ଆଉ ଯେତେ ଅତିଥି ଅଭ୍ୟାଗତ ଆସୁଛନ୍ତି ତାଙ୍କୁ ଗୋଡ଼େଇ କରି ଖା ! ମା ! ( ଦ୍ୱିତୀୟ ପଣ୍ଡା ପ୍ରତି ) ହେ ଆଜି ଦେବୀଙ୍କ ପାଖରେ ନରବଳୀ ଦିଆଯିବ । ମହାରାଜାଙ୍କର ହୁକୁମ ଦେବୀଙ୍କର ସାହାନ ମାର୍ଜନ ଶୀଘ୍ର କରିବା କଥା । ତମେ ବୋହିପୋ ଏତେବେଳ କରିଦେଲ ।

୨ୟ

-

କ’ଣ କରିବି ଗୋଟାଏ କାର୍ଯ୍ୟବଶତଃ ଉଛୁର ହୋଇଗଲା ।

 

-

(ପ୍ରହରି ଅନିରୁଦ୍ଧକୁ ଘେନି ପ୍ରବେଶ ଓ ପ୍ରଣାମ କରଣ, ପଣ୍ଡା ଫୁଲ ସିନ୍ଦୂର ଦେବା)

ପ୍ରହରୀ

-

ଏ ସ୍ଥାନ ନାମ ଦକ୍ଷିଣ ଶ୍ମଶାନ, ଏ ଏଠାରେ ଅଧିଷ୍ଠାତ୍ରୀ, ଏହାଙ୍କ ନାମ କାଳୀଦେବୀ ।

ଅନିରୁଦ୍ଧ

-

ହେ ପ୍ରହରୀ ! ମୋତେ ଏହି କାଳୀଦେବୀଙ୍କ ନିକଟରେ କ’ଣ ବଳିଦେବ ?

ପ୍ରହରୀ

-

ହଁ ବଳି ଦିଆହେବୁ । ମହାରାଜ ସ୍ନାନ କରିବାକୁ ଯାଇଛନ୍ତି, ବର୍ତ୍ତମାନ ଆସିଲେ ତୋତେ ମାଙ୍କ ନିକଟରେ ବଳି ପ୍ରଦାନ କରିବେ ।

ଅନିରୁଦ୍ଧ

-

ଆହେ ! ମୋର ତେବେ ଆଜି ଶେଷଦିନ, ହା ହତଭାଗା ଅନିରୁଦ୍ଧ, ତୁ ନିଜର ବୁଦ୍ଧିର ଦୋଷେ ଅକାଳେ ପ୍ରାଣ ହାରିଲୁ । ଛାର ରମଣୀର ରୂପରେ ମୁଗ୍‌ଧ ହୋଇ ଆତ୍ମୀୟ ବର୍ଗଙ୍କୁ ଛାଡ଼ି ଶତ୍ରୁ ପୁରରେ ପ୍ରାଣ ହରାଇଲୁ, ହାୟ ହାୟ, ମୁଁ ଯେ ବଂଶେ ଜନ୍ମ ଗ୍ରହଣ କରିଛି ସେ ବଂଶ ଜଗତ ପବିତ୍ରକର, ମୋର ପିତା ତ୍ରିଭୁବନେ ଅଦ୍ୱିତୀୟ ବୀର ଓ ପିତାମହ ତ୍ରିଜଗତେ ଅଦ୍ୱିତୀୟ ପୁରୁଷ । ମୁଁ ସେହି ପରମ ପୁରୁଷର ପୌତ୍ର ହୋଇ ଛାର ରମଣୀ ଲାଳସାରେ ପଡ଼ି ଚଣ୍ଡୀ ସମ୍ମୁଖରେ ପ୍ରାଣ ହରାଇବି ।

ପ୍ରହରୀ

-

ବାତୁଳପରି ଗୁଡ଼ାଏ କ’ଣ କଉଛୁ । ଏଇଦେଖ ମହାରାଜ ଆସିଲେଣି ।

 

-

(ବାଣା ପ୍ରବେଶ ପଣ୍ଡା ଧଣ୍ଡା ଇତ୍ୟାଦି ଦେବା)

ବାଣା

-

ପ୍ରହରୀ ! ଶୂଳିକାଠ କାହିଁ ?

ପ୍ରହରୀ

-

ଶୂଳିକାଠ କ’ଣ ଦରକାର ?

ବାଣା

-

ବର୍ବର, ଦର୍କାର ନୁହେଁ ? ଥଟ୍ଟା କରୁଛୁ । ଯା ଶୀଘ୍ର ଆଣ ।

ପ୍ରହରୀ

-

ଯେ ଆଜ୍ଞା, ବର୍ତ୍ତମାନ ଆଣୁଛି । (ପ୍ରସ୍ଥାନ)

ବାଣା

-

ଆରେ ହତଭାଗ୍ୟ ଆଜି ତୋର ସୌଭାଗ୍ୟର ଦିନ । ତୋର ଶୋଣିତରେ ଆଜି ହରପ୍ରିୟା କାଳିକାଙ୍କ ତୃପ୍ତି ସାଧନ କରିବି ।

ଅନିରୁଦ୍ଧ

-

ସେ କଥା ଯଥାର୍ଥ, ଦାନବରାଜ ! ମହିଷମର୍ଦ୍ଦିନୀ ମହେଶମୋହିନୀ ତାର ଆଜି ପୁତ୍ର ଶୋଣିତ ପାନ କରିବେ । ବଡ଼ ଭାଗ୍ୟର କଥା ।

ବାଣା

-

ଆଚ୍ଛା ମୃତ୍ୟୁକୁ ସୁଖ ମନେ କରୁଛୁ । ଏହି ଯେ ପ୍ରହରି । ପ୍ରହରି ! ଶୂଳିକାଠ ଯଥାସ୍ଥାନରେ ସ୍ଥାପନ କର (ବ୍ରାହ୍ମଣପ୍ରତି) ବ୍ରାହ୍ମଣ ଫୁଲଚନ୍ଦନ ଇତ୍ୟାଦି ଏ ଯୁବକକୁ ଦିଅ ।

ଅନିରୁଦ୍ଧ

-

(ସ୍ୱଗତଃ) ନିଶ୍ଚୟ ତେବେ ଆଜି ପ୍ରାଣଦଣ୍ଡର ଦିନ । ନିଶ୍ଚୟ ଆଜି ଅନିରୁଦ୍ଧର ଶେଷ ମୁହୂର୍ତ୍ତ ।(ଫୁଲଚନ୍ଦନଦେବା)

 

 

ଗୀତ

ସରିଲା ସରିଲା ମୋର ଭବରଙ୍ଗ ଖେଳା

ସନ୍ନିକଟ ହେଲା ଆସି ଅନ୍ତିମର ବେଳା

ମୋର ଲୀଲା ଖେଳା

ସରିଗଲା ବୁଡ଼ିଲାଟି ଭେଳା । ୧ ।

 

ନ ଦେଖିଲେ ତାତ ମାତ ବନ୍ଧୁ ସହୋଦରେ

ଗୋପନେ ଶ୍ମଶାନେ ପ୍ରାଣ ହାରିଲି ନିକରେ

ଏ ଦୁର୍ଲଭ ଜନ୍ମ

ହେଲା ସିନା ଅକାରଣ ରେ । ୨ ।

 

ବାଣା

-

ବର୍ତ୍ତମାନ ଜ୍ଞାନ ଉଦୟ ହୋଇଛି, ମୂର୍ଖର ଅନ୍ତିମ ସମୟକୁ ଜ୍ଞାନ ଉଦୟ ହୋଇଛି, ପାଷାଣ୍ଡ ! ପ୍ରସ୍ତୁତ ହୁଅ ।

ଅନିରୁଦ୍ଧ

-

ଦାନବରାଜ ! ମୁଁ ଶୂଳିପାଇବା ଲାଗି ପ୍ରସ୍ତୁତ, କିନ୍ତୁ ଗୋଟିଏ ଅନୁରୋଧ ମୋର ରକ୍ଷା କରିବାକୁ ହେବ ।

ବାଣା

-

ମୋ ନିକଟରେ ତୋର କି ଅନୁରୋଧ ? ଆଚ୍ଛା ପ୍ରାଣଦଣ୍ଡରୁ ମୁକ୍ତ ଓ ଉଷା ଲାଭ ବ୍ୟତୀତ ଅନ୍ୟ ଯା କାମନା ତା ନିଶ୍ଚୟ ପୂରଣ କରିବି । ଶୀଘ୍ର ପ୍ରକାଶ କର ।

ଅନିରୁଦ୍ଧ

-

(ଗୀତ)

ଆହେ ଦୈତ୍ୟରାଜ            ଘେନ ମୋ ଅରଜ

ଗରଜ ପଡ଼ିଛି ମୋର,

ବରଜବିହାରୀ            ଶ୍ରୀପଦପଙ୍କଜ, ମୋ

ହୃଦେ ଅଙ୍କନ କର ।

ଏହି ଲଲାଟ ପଟେ

ପିତା ମାତା ପଦ ଲେଖ ଚିତ୍ରେ । ୧ ।

 

ହର ପାର୍ବତୀଙ୍କ            ପବିତ୍ର ନାମକୁ

ସର୍ବାଙ୍ଗରେ ଲେଖିଦିଅ

ହରିଯିବ ମୋର            ମନର ସାଧଟି

ନ ଥିବ ଶମନ ଭୟ ।

ଥରେ ବହ ସୁଦୟା

ମାଗୁଣି ମାତ୍ରକ ମୋର ଏହା । ୨ ।

 

 

 

ଦାନବରାଜ ! ଶୂଳି ଦେବା ପୂର୍ବରୁ ମୋର ହୃଦୟରେ ମୋର ପିତାମହ ଶ୍ରୀଗୋବିନ୍ଦ ପଦାରବିନ୍ଦ ଚନ୍ଦନରେ ଅଙ୍କିତ କର ଓ ଲଲାଟରେ ପିତାମାତାଙ୍କ ପଦ ଓ ସର୍ବାଙ୍ଗରେ ସେହି ହର ପାର୍ବତୀଙ୍କ ନାମ ଲେଖି ଦିଅ, ମୁଁ ଯେପରି ପରକାଳରେ ମୁକ୍ତିଲାଭ କରିବି ।

ବାଣା

-

 

ବ୍ରାହ୍ମଣ ! ଶୀଘ୍ର ଏହାର ଉଦ୍ଦେଶ୍ୟ ପୂରଣ କର ।

(ବ୍ରାହ୍ମଣ ତଥା କରଣ)

(ଅନିରୁଦ୍ଧ ଆଣ୍ଠୁ ମାଡ଼ି ବସି ସ୍ତବ)

ନବ ଜଳଦ ବରନ ହେ ।

ଏ ଭବଜଳେ ଗଲି ଭାସି ।

ତୁମ୍ଭେ କର୍ଣ୍ଣଧାର            ହେ କରୁଣାକର

କୂଳେ ଲଗା ମୋତେ ଆସି । ପଦ ।

 

ଅନାଥର ନାଥ            ତୁମ୍ଭେ ଦୀନନାଥ

ଦିନ ଥାଉଁ କିବାଁ            ଘୋଟୁଛି ନିଶୀଥ

ଆସ ଥରେ ଆସ            ଏ ତିମିର ନାଶ

ଦୁର୍ବାଦଳ ଶ୍ୟାମ ରମାବିଳାସୀ । ୧ ।

 

ଧୂଳି ଖେଳ ଛଳେ            ଅନ୍ଧ ସୁଦାମାରେ

ଚକ୍ଷୁଦାନ ଦେଇଛ ବ୍ରହ୍ମରାଶି ।

ମୋତେ ମୋକ୍ଷପଥେ      ଦେଖା ହେ ଅନନ୍ତ

ଜ୍ଞାନ ଚକ୍ଷୁ ମୋର ଉଠୁ ବିକଶି । ୨ ।

 

 

-

ହେ ପିତାମହ; ହେ ଗୋପୀକାକାନ୍ତ, ହେ ଭଗବାନ ! ଆସ ଆସ ଏ ଅନ୍ତିମ ସମୟରେ ଥରେ ମାତ୍ର ଦେଖାଦିଅ ।

ବାଣା

-

ରେ ଅବୋଧ ଶିଶୁ ! ଏଇଥର ଭବାନୀ ପାଦପଦ୍ମ ସ୍ମରଣ କରି ଶୂଳି କାଠରେ ମସ୍ତକ ରଖ ।

ଅନିରୁଦ୍ଧ

-

କି ଆଶ୍ଚର୍ଯ୍ୟ ? ମନ ମଧ୍ୟରେ ଏତେ ଭୟ ଆସୁଛି କାହିଁକି ? ମା କୃପାମୟୀ ! ହେ ମା ଅଭୟା ! ଯେବେ ମୋ ରୁଧିର ପିଇବାକୁ ଏତେ ଅଭିଳାଷୀ ହୋଇଛୁ ତେବେ ଏ ହୃଦୟରେ ବଳ ଦେ କୃପାମୟୀ ! ମୋର ମନର ଭୟ ଦୂର କର ମୁଁ ଅଜ୍ଞାନ ଶିଶୁ, ଭକ୍ତି ସ୍ତୁତି କିଛି ଜାଣେ ନାହିଁ, ମୋର ସଦ୍‌ଗତି ବିଧାନ କର ।

 

 

 

(ଆଣ୍ଠୁମାଡ଼ି ସ୍ତବ)

ଦୁର୍ଗେ ଦୁର୍ଗତି ହର            ବିଘ୍ନ ବିନାଶିନୀ

ସଙ୍କଟେ ତାର ଗୋ ଆସି ତାରା ତ୍ରିନୟନୀ ।

ଘୋର ବିପଦ ସାଗର      କି ଆଉ ଭରସା ଛାର

ତୁମ୍ଭେ କୃପା ନ କଲେ ମା ମହିଷାମର୍ଦ୍ଦିନୀ । ୧ ।

ପାଷାଣ ଜନକ ତବ       ତୁମ୍ଭେ କି ପାଷାଣୀ ହେବ

ନାମେ କଳଙ୍କ ରଟିବ ବିପଦଭଞ୍ଜନୀ । ୨ ।

 

 

-

ମା ଦୁର୍ଗତିନାଶିନି ଦୁର୍ଗେ ! ଅନିରୁଦ୍ଧ ତୋର ପାଦପଦ୍ମ ସ୍ମରଣ କରି ବିଦାୟ ନେଲା, ମା ଦୁର୍ବୃତ୍ତ କାଳ ଯେପରି ମୋତେ ଆୟତ ନ କରେ, ଏହି ଶେଷ ଭିକ୍ଷା ।

ବାଣା

-

ପ୍ରହରୀ ! ଦେଖଛୁ କ’ଣ ? ଦେ ଶୂଳିକାଠରେ ତାର ମସ୍ତକ ରଖ ।

ପ୍ରହରୀ-

-

(ଅନିରୁଦ୍ଧ ପ୍ରତି) ଆସ ବାଳକ !

ଅନିରୁଦ୍ଧ-

-

ମୁଁ ସ୍ୱଇଚ୍ଛାରେ ମସ୍ତକ ଦେଉଛି ତୁମ୍ଭେମାନେ ମୋର ଅନୁରୋଧ ରକ୍ଷାକରି ଥରେ ଉଚ୍ଚସ୍ୱରେ ଦୁର୍ଗେ ଦୁର୍ଗେ ବୋଲି କହ । (ସମସ୍ତେ ତଥାକରଣ ଓ ଶୂଳିକାଠରେ ଅନିରୁଦ୍ଧ ମସ୍ତକ ରଖିବା ।

ବାଣା-

-

ମାତା ରଣଚଣ୍ଡିକେ ! ମୋର ଅରାତି ଏହି ଦୁର୍ମତିକୁ ତୋର ନିକଟରେ ବଳିଦେଲି, ଏ ବଳି ଗ୍ରହଣ କରି ମୋ ପ୍ରତି ସୁପ୍ରସନ୍ନ ହୁଅ, ଦିଅ ବ୍ରାହ୍ମଣ ଖଣ୍ଡାଦିଅ ।

 

-

(ଖଡ଼୍‌ଗ ପ୍ରଦାନ ଓ ଘଣ୍ଟାନାଦ, ବାଣା ଖଡ଼୍‌ଗ ଉତ୍ତୋଳନ କରିବା ସମୟେ ଦୁର୍ଗାଙ୍କ ଆବିର୍ଭାବ)

ଦୁର୍ଗା

-

 

କ୍ଷାନ୍ତହୁଅ ବର୍ବର । କାହାକୁ ତୁ ଦେଉ ଶୂଳିଦାନ

ତ୍ରୈଲୋକ୍ୟ ଆରାଧ୍ୟ ହରି ପତିତପାବନ ।

ନାରାୟଣ ନବୀନ ନୀରଦ ଶ୍ୟାମ

ପୂଜେ ଯାରେ ହରବ୍ରହ୍ମା ଅହର୍ନିଶୀ ବସି

ଅନିରୁଦ୍ଧ ତାର ପୌତ୍ର ନାହିଁକି ସ୍ମରଣ ମୂର୍ଖ ।

ଫିଙ୍ଗ ଦୂରେ ପାପ ଖଡ଼୍‌ଗ ମୁକ୍ତ କର ଜ୍ୱଳନ୍ତ ପାବକେ ।

 

ବାଣା

-

ଆଶ୍ଚର୍ଯ୍ୟ ହେଉଛି ମାଗୋ ଶୁଣି ତବ କଥା

ଦ୍ଵାରିକାନିବାସୀ କୃଷ୍ଣ ବୈକୁଣ୍ଠ ଈଶ୍ୱର

ନନ୍ଦଘରେ ଲୁଚିଥିଲା ଯେହୁ କଂସ ଡରେ

ଗୋପାଳ ଉଚ୍ଛିଷ୍ଟ ଯେହୁ ଭୁଞ୍ଜୁଥିଲା ଗୋପେ

ସେ କି ଅଟେ ହରି ନାରାୟଣ ?

ଭ୍ରମାଚ୍ଛନ୍ନ ତୁମ୍ଭେ ମାତା ଭ୍ରମବଶେ ମୁଖେ କହ

ଏସନ ବଚନ

 

ଦୁର୍ଗା

-

ରେ ଅବୋଧ !

ଭ୍ରମାଚ୍ଛନ୍ନ ନୁହେଁ ଜନନୀ ତୋହରି

ଦାରୁଣ ଭ୍ରମେ ପଡ଼ିଛୁ ତୁ ମୂର୍ଖ

ତ୍ରିଲୋକ ଆରାଧ୍ୟ ହରି ପତିତପାବନ

ଦୁଷ୍ଟ ନିବାରିବା ହେତୁ ଅବତୀର୍ଣ୍ଣ ମଞ୍ଚେ

କଂସଭୟେ ନନ୍ଦାଳୟେ ନ ଥିଲେ ଶ୍ରୀକୃଷ୍ଣ

ଭକ୍ତର ବାଞ୍ଛା ପୂରଣେ ଗୋକୁଳେ ଉଦୟେ

ଯାକୁ ଭାବୁ ଗୋପାଳ ନନ୍ଦନ ବୋଲି

ସେ କି ତୋଳିପାରେ ଗିରି ଗୋବର୍ଦ୍ଧନ

ସେ କି କରିପାରେ ଅନଳ ଭକ୍ଷଣ

ଯେଉଁ କାଳନ୍ଦୀର ଜଳସ୍ପର୍ଶ ମାତ୍ରେ ନର

ଲଭିବ ଅନ୍ତିମ ଦଶା ସେହି ସ୍ଥାନେ ପଡ଼ି

ସେ ଜଳକୁ ଗୋପାଳ କି କରିଥାନ୍ତେ ପାନ,

ତେଜ ବାପ ମନର ବିକାର

ମୁକ୍ତ କର ଅନିରୁଦ୍ଧ ଏହି ମୁହୂର୍ତ୍ତରେ ।

 

ବାଣା

-

ଶୁଣ ମାତ ! ତବ ବାକ୍ୟ ପାଳିପାରେ ସତ୍ୟ

କିନ୍ତୁ ହରଗୌରୀ ପାଦ ପଦ୍ମ ସଦାକରି ଧ୍ୟାନ

ବିଶ୍ୱଜୟୀ ବାଣା ବୋଲି ଉଡ଼େ ଜୟ ଧ୍ୱଜା

କେବା କୃଷ୍ଣ କେବା ବିଷ୍ଣୁ କାହାକୁ ନ ଜାଣେ

ଏକମାତ୍ର ହର ଗୌରୀ ଭରସା ମୋହର

ଦୁର୍ମତି ବାଳକ କରିଛି ମୋ ମାନହାନି

ସେ ଯୋଗୁଁ ତାହାର ପ୍ରାଣ ନେଉଛି ଜନନୀ !

ଶୁଣିଛି ମୁଁ ମାତ ! କପଟୀ ଲମ୍ପଟୀ ସେହି କୃଷ୍ଣ

ଦାନଛଳେ ପିତାଙ୍କୁ ମୋ ଦେଇଛି ଦୁର୍ଦ୍ଦଶା

ମନେ ମୋର ପଡ଼ିଲେ ସେ କଥା

ଆପାଦ ମସ୍ତକ ମୋର ହେଉଛି କମ୍ପନ

କୃଷ୍ଣ ମୋର ଚିର ଶତ୍ରୁ

ତାର ସଙ୍ଗେ ଯୁଝିବା ମୋ ଅବଶ୍ୟ କର୍ତ୍ତବ୍ୟ

 

ଦୁର୍ଗା

-

ଅସ୍ତୁ ହେଉ ତୋର ମନସ୍କାମ

ଅବିଳମ୍ବେ ଭେଟିବୁ ତୁ କୃଷ୍ଣେ

ଆଜିରୁ ଆରମ୍ଭ କରି ସାତଦିନ ଯାଏ

ନ ଘେନିବି ବଳି ଭୋଜା-ଅଛି ମୋର ବ୍ରତ

ସପ୍ତଦିନ ପରେ ଦେବୁ ମୋତେ ବଳି ।

କାରାଗାରେ ରୁଦ୍ଧକର ଅନିରୁଦ୍ଧେ ନେଇ

ମୋ ବାକ୍ୟ ତୁ କରିଲେ ଅନ୍ୟଥା

ପରି ଶେଷେ ମନ୍ଦଫଳ ଘଟିବ ନିଶ୍ଚୟ । (ଦୁର୍ଗାଙ୍କ ପ୍ରସ୍ଥାନ)

 

ବାଣା

-

ତବ ଆଜ୍ଞା ଶିରୋଧାର୍ଯ୍ୟ ମମ !

 

-

(ପ୍ରହରୀ ପ୍ରତି) ମୁକ୍ତକର ଅନିରୁଦ୍ଧେ ନିଅ କାରାଗାରେ । (ସମସ୍ତେ ପ୍ରସ୍ଥାନ)

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

(ବନ୍ଦିନୀଗଣସହ କୃଷ୍ଣ)

 

-

ଦେଖ ଲୋ ଦେଖ ଲୋ ନବ ନୀରଦ ବରନ ଶ୍ୟାମ ।

ଦେବାକୁ ନାହିଁ ଉପମା ଜିଣି ରୂପ ଗୋଟି କାମ । ପଦ ।

ହୃଦେ ଲମ୍ବେ ବନମାଳ, ଶିରେ ଶୋଭେ ଶିଖିଚୂଳ,

ଦେଖିଲେ ନାଗରୀ କୁଳ ପ୍ରେମେ ହୋଇବଟି ଭ୍ରମ । ୧ ।

 

କୃଷ୍ଣ

-

ବନ୍ଦିନୀଗଣେ, ନୃତ୍ୟଗୀତ ଆଉ ଭଲ ଲାଗୁନାହିଁ, ଅନିରୁଦ୍ଧ ସାତଦିନ ହେଲା ମୋତେ ଦୁଃଖ ସାଗରରେ ବୁଡ଼ାଇ ଦେଇ ଯାଇଛି । ତୁମ୍ଭେମାନେ ଯାଅ ପୁତ୍ର ପଦ୍ମନ କେଉଁଠାରେ ଅଛି ଶୀଘ୍ର ମୋ ନିକଟ ପଠାଇଦିଅ । ବର୍ତ୍ତମାନ ଆମୋଦ ପ୍ରମୋଦର ସମୟ ନୁହେଁ । ରୁକ୍ମିଣୀ ମଧ୍ୟ ପୌତ୍ର ବିଚ୍ଛେଦର ଦୁଇଦିନ ହେଲା ଅନ୍ନଜଳ ସ୍ପର୍ଶ କରି ନାହାନ୍ତି; ଯାଅ ଶୀଘ୍ର ।

 

ବନ୍ଦିନୀଗଣ

-

ଯେ ଆଜ୍ଞା ପ୍ରଭୋ ! (ପ୍ରସ୍ଥାନ)

 

-

(ପଦ୍ମନର ପ୍ରବେଶ ଓ ପ୍ରଣିପାତ)

କୃଷ୍ଣ

-

କହ ପୁତ୍ର ପାଇଲକି ଅନିରୁଦ୍ଧ ସମାଚାର କିଛି ?

ପଦ୍ମନ

-

ପିତଃ ! ନାନା ଦେଶେ ନାନା ସ୍ଥାନେ ଯାଇଛନ୍ତି ଚାର କିନ୍ତୁ କେହି ଜଣେ ଆସିନାହିଁ ଫେରି ।

କୃଷ୍ଣ

-

-ଆଶ୍ଚର୍ଯ୍ୟ ଏ କଥା, କେଣେ ଗଲା ପୌତ୍ର ମୋର

କିବା ଅଭିଳାଷେ ଯାଇଛି ବା କାହିଁ

ଆଜି ଯେବେ ସଦନକୁ ନ ଆସିବ ଫେରି

କାଲି ନିଶ୍ଚେ ତା ସନ୍ଧାନେ ଯିବି ପ୍ରଭାତରୁ ।

ପଦ୍ମନ

-

ପିତଃ ! ଆଜ୍ଞାଦିଅ ଥରେ

ଏ ଅଧମ ଯିବ ପୁତ୍ର ଲୋଡ଼ି

ଦ୍ଵାରିକା ନିବାସୀ ସର୍ବେ କି ଧନୀ ଦରିଦ୍ର,

ଶୋକାକୁଳେ ବୁଡ଼ିଛନ୍ତି ଅନିରୁଦ୍ଧ ପାଇଁ

ଜ୍ୟେଷ୍ଠତାତ ହଳପାଣି ତେଜି ରାଜକାର୍ଯ୍ୟ

ମଉନରେ ବସିଛନ୍ତି ସ୍ୱଗୃହରେ ଯାଇଁ ।

କୃଷ୍ଣ

-

ପୁତ୍ର ପଦ୍ମନରେ ! ଅନିରୁଦ୍ଧ ବିନା

ସର୍ବ ଶୂନ୍ୟ ଦିଶୁଅଛି ମୋତେ

(କର୍ଣ୍ଣ ଡେରି) ଏ କାହାର ବୀଣା ଧ୍ୱନି !

ଆସିଲେଣି କି ଦେବର୍ଷି ଏ ସ୍ଥାନେ ।

ପଦ୍ମନ

-

ହେବ ପରା ?

ନାରଦ

-

ଗୀତ

ଅନିତ୍ୟ ଅସାର ସଂସାର ମୋହମାୟା ଅନ୍ଧକାର

ପତିତପାବନ ପିତାମ୍ବର ହରି ହରି ଭବର କର୍ଣ୍ଣଧାର

ହରି ପିତା ହରି ମାତା ହରି ଜ୍ଞାତି ସହୋଦର

 

 

-

ତ୍ରୈଲୋକ୍ୟ ନାୟକ ରକ୍ଷ ମୋକ୍ଷ ହରି କଳୌ ହରିନାମ (କୃଷ୍ଣ ଉଠିଯାଇ ଆଲିଙ୍ଗନ ପୂର୍ବକ) ସାର । ଆସନ୍ତୁ, ଆସନ୍ତୁ ଦେବର୍ଷେ ! ଆପଣଙ୍କର ସମସ୍ତ ମଙ୍ଗଳତ ?

ନାରଦ

-

ପ୍ରଭୋ ! ଆପଣଙ୍କର ମଙ୍ଗଳରେ ମୋର ମଙ୍ଗଳ ।

କୃଷ୍ଣ

-

ଦେବର୍ଷେ ! ଆମ୍ଭର ବର୍ତ୍ତମାନ ବିଶେଷ ଅମଙ୍ଗଳ ।

ନାରଦ

-

ପ୍ରଭୋ- ! ବୃକ୍ଷର ମୂଳରେ କୁଠାର ଆଘାତ ହେଲେ ଶାଖା ପ୍ରଶାଖାକୁ କଣ ହୁଏନାହିଁ ?

କୃଷ୍ଣ

-

ତା ଯଥାର୍ଥ, ଆଚ୍ଛା ଦେବର୍ଷେ । ଆପଣଙ୍କର ତ ତ୍ରୈଲୋକ ଭ୍ରମଣ କରିବାର ପେଶା, ତେବେ କହି ପାରିବ କି ମୋର ଅନିରୁଦ୍ଧ କେଉଁଠାରେ ?

ନାରଦ

-

ପ୍ରଭୋ ! ଅନିରୁଦ୍ଧକୁ ସ୍ୱଚକ୍ଷୁରେ ଦେଖିନାହିଁ, ତେବେ ଜାଣେ ସେ ଯେଉଁ ସ୍ଥାନରେ ଅଛି ।

କୃଷ୍ଣ

-

କହ ଦେବର୍ଷେ ! ଅନିରୁଦ୍ଧ କେଉଁଠାରେ ? ପ୍ରାୟ ସାତ ଦିନହେଲା ତାର ସନ୍ଧାନ କିଛି ନ ପାଇ ବଡ଼ କିଛି କଷ୍ଟ ଭୋଗ କରୁଛୁଁ ।

ନାରଦ

-

ଶୈଶବ କାଳରେ ପୌତ୍ରକୁ ସ୍ନେହବଶତଃ ଶାସନାଧୀନ ନ ରଖିବାର ଫଳ ବର୍ତ୍ତମାନ ବାହାରିଛି । ଚୋରର ନାତି ଚୋରୀ କରୁ କରୁ ଧରା ପଡ଼ିଛି ।

କୃଷ୍ଣ

-

ଦେବର୍ଷେ ! କଣ ମୁଁ କିଛି ବୁଝି ପାରୁ ନାହିଁ ।

ନାରଦ

-

କିପରି ବୁଝିବେ, ଅନିରୁଦ୍ଧ ଅବରୋଧ ।

କୃଷ୍ଣ

-

କେଉଁଠାରେ ?

ନାରଦ

-

ଶୋଣିତ ନଗରେ ବାଣାସୁର କାରାଗାରରେ ।

କୃଷ୍ଣ

-

କଣ କହିଲ, ଅନିରୁଦ୍ଧ ବାଣା କାରାଗାରରେ ଅବରୋଧ ?

ନାରଦ

-

ହଁ ପ୍ରଭୋ ! ଅନିରୁଦ୍ଧ ବାଣା କନ୍ୟା ଉଷା ସହିତ ଗୁପ୍ତ ପ୍ରଣୟ ସ୍ଥାପନ କରି ଦୈବବଶତଃ ବାଣାସୁରଦ୍ୱାରା ଧୃତ ହୋଇ ଶ୍ମଶାନକାଳୀ ନିକଟରେ ବଳି ଦାନ ଦେଉଥିଲା, କିନ୍ତୁ କୈଳାସ ବାସିନୀ ଦୁର୍ଗା ଗୋଟିଏ କୃତ୍ରିମ ଉପାୟ ଦ୍ୱାରା ଏକ ସପ୍ତାହ ମାତ୍ର ଅନିରୁଦ୍ଧର ଜୀବନ ଭିକ୍ଷା ମାଗି ନେଇଛନ୍ତି । ଏ ସମ୍ବାଦ ସେହି ଦୟାମୟୀ ଦୁର୍ଗା ମୋତେ ଦେଇ ଆପଣଙ୍କ ନିକଟକୁ ପଠାଇଲେ !

କୃଷ୍ଣ

-

ଦେବର୍ଷେ ! ଏତେ ବୀର୍ଯ୍ୟ ବାଣା କଳେବରେ, ନ ଜାଣେ ସେ ରାମକୃଷ୍ଣ ବଳ ଦୁରାଚାର । ଅନିରୁଦ୍ଧେ କଲା ଅବରୋଧ । ପଦ୍ମନ ! ବିଳମ୍ବରେ ନାହିଁ ପ୍ରୟୋଜନ । ଏ ମୁହୂର୍ତ୍ତେ କର ଶୀଘ୍ର ଯୁଦ୍ଧ ଆୟୋଜନ ।

 

-

ଗୀତ

ସାଜ ହେ ଯାଦବ ବୀରେ ସାଜ ରଣ ସାଜ ।

ଦର୍ପିଷ୍ଠ ବାଣାର ଗର୍ବ ଖର୍ବ କର ଆଜ । ପଦ ।

ଧର ଧନୁର୍ବାଣ ଅସି       ଆତ୍ମୀୟ ସ୍ୱଜନେ ମିଶି

ଦୈତ୍ୟକୁଳ ଖରେ ନାଶି ଉଡ଼ା ଜୟଧ୍ୱଜ । ୧ ।

ସମ୍ମୁଖ ସଂଗ୍ରାମେ ଦୁଃଷ୍ଟ      ହେବଟି ନିଶ୍ଚେ ବିନଷ୍ଟ

ଚାଲ ଖରେ ରାଜଥାଟ୍ଟ ପୂର୍ଣ୍ଣକର କାର୍ଯ୍ୟ । ୨ ।

 

ଆସ ସର୍ବେ ଯଦୁ ବୀରଗଣେ

ଆସ ସର୍ବେ ଦ୍ୱାରକା ନିବାସୀ

ଏ ମୁହୂର୍ତ୍ତେ ବାଣାପୁରେ ଯିବା ଖରତରେ ।

(ପଦ୍ମନ ପ୍ରତି) ପଦ୍ମନ ! ବଳିଷ୍ଠ ଭାଇ ମୋହର

ବଳଦେବ ଠାରେ କହ ଯାଇ ଏସନ ବାରତା,

ଆଜି ନିଶ୍ଚେ ଯୁଦ୍ଧ ହେବ ବାଣା ସହିତରେ ।

ଦେବର୍ଷେ ! ଚାଲ ଆମ୍ଭ ସଙ୍ଗେ ।

(ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

(ସୈନ୍ୟଗଣ, କୃଷ୍ଣ, ବଳଦେବ, ପଦ୍ମନ ଓ ଦୂତ)

 

 

ଗୀତ

ଯାଗ ଯାଗ ଯାଗ ହେ ଲାଗ ଲାଗ ଲାଗ ହେ

ସ୍ୱଦେଶ ଗୌରବ ଲାଗି ପ୍ରାଣ କର ତ୍ୟାଗ ହେ । ପଦ ।

ଧର ଧର ଧର ଧନୁର୍ବଚ୍ଛା ବାଣ ।

ଧର ଧର ଖରେ ଶାଣିତ କୃପାଣ ।

ଧୈର୍ଯ୍ୟଚ୍ୟୁତ ନୋହି ଆଜି ପ୍ରାଣ ପଣେ ଲାଗ ହେ । ୧ ।

 

କୃଷ୍ଣ

-

ଭ୍ରାତ ! ସୈନ୍ୟଗଣେ ରଖି ଏକସ୍ଥାନେ

ଦୂତ ଜଣେ ବରଗିବା ବାଣାସୁର କତି

 

ବଳଦେବ

-

ଯାଉ ଦୂତ ଖରେ, ବିଳମ୍ବରେ ନାହିଁ

ପ୍ରୟୋଜନ । (ଦୂତପ୍ରତି) ଦୂତଦର ! ନିର୍ଭୟରେ

କହିବୁ ବାଣାକୁ

ପ୍ରାଣେ ଆଶା ଯେବେ ଥାଏ ତାର

ଅନିରୁଦ୍ଧ ଘେନି ଆସୁ ଆମ୍ଭ ପାଶ

ନଚେତ୍ ମୁଣ୍ଡହୀନ ଗଣ୍ଡିତାର ଲୋଟିବ ଏ ମହୀ

ଚାଲ ସର୍ବେ ରଣକ୍ଷେତ୍ରେ କରିବା ନିର୍ଣ୍ଣୟ । (ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

ବାଣା

-

(ସ୍ୱଗତ) ମହାମାୟୀଙ୍କ ଆଦେଶ ପାଳନ କରି ଅନିରୁଦ୍ଧକୁ ଶୂଳୀରୁ ମୁକ୍ତ କରି ଏକ ସପ୍ତାହ କାରା ଗୃହରେ ରଖିଲି, ଏଥର ସେ ସମୟ ଅତୀତ ହୋଇ ଯାଇନି । ଆଜି ଆଉ ଅନିରୁଦ୍ଧକୁ ରକ୍ଷା ନାହିଁ । ନିଶ୍ଚୟ ଶ୍ମଶାନ କାଳୀ ନିକଟରେ ବଳୀ ଦାନ କରି ମନର ସାଧ ମେଣ୍ଟନ କରିବି । ଆଜି ଅନିରୁଦ୍ଧ ରୁଧିରରେ ଚଣ୍ଡୀଦେବୀଙ୍କର ତୃଷା ନିବାରଣ କରିବି ।

 

-

(ପ୍ରହରୀ ପ୍ରବେଶ)

ବାଣା

-

ପ୍ରହରୀ ! କି ସମ୍ବାଦ ?

ପ୍ରହରୀ

-

ମହାରାଜ ! ଦ୍ୱାରଦେଶେ ଜଣେ ଦୂତ ଛାମୁଙ୍କ ଦର୍ଶନ ଅଭିଳାଷ କରୁଛି ।

ବାଣା

-

ଆଚ୍ଛା, ଆସିବାକୁ ଆଜ୍ଞା ଦିଅ ।

 

-

(ପ୍ରହରୀ ପ୍ରସ୍ଥାନ)

 

-

ବାଣା ଗୀତ (ସ୍ୱଗତ)-

କାହାର ଦୂତ,

କି ଉଦ୍ଦେଶ୍ୟେ ଆସିଲା ମୋ ପାଶେ,

ଆସୁ ଭଲ ମନ୍ଦ ଜଣାଯିବ ସବୁ ।

(ଦୂତ ପ୍ରବେଶ ଓ ଅଭିବାଦନ)

ବାଣା

-

କିଏ ତୁହି କିବା କାର୍ଯ୍ୟେ ଆଗମନ ତୋର ?

ଦୂତ

-

କୃଷ୍ଣ ଦୂତ ମୁହିଁ, ଘର ମୋର ଦ୍ୱାରକା ନଗରେ ।

ବାଣା

-

ଆସିବା ଉଦ୍ଦେଶ୍ୟ କଣ ?

ଦୂତ

-

ଶୁଣନ୍ତୁ ପ୍ରଭୋ

 

-

 

ଦୈତ୍ୟ ରାଜ ହେ, ମୋ କଥା ଶ୍ରୁତିରେ ହେଜ ।

ଦ୍ୱାରକା ରାଜନ            କୃଷ୍ଣ ବଳରାମ

ବରଗିଲେ ମତେ ଆଜ । ପଦ ।

 

ବୀର ଅନିରୁଦ୍ଧ            କିମ୍ପା ଅବରୋଧ

କରିଛ ଦାନବ ରାଜ ।

ସେ ପୌତ୍ର କାହାର            ନ ଜାଣକି ବୀର

ଘଟିବ ନିଶ୍ଚେ ଦୁର୍ଯ୍ୟୋଗ । ୧ ।

 

 

-

ଦାନବ ରାଜ ! ଅନିରୁଦ୍ଧ କାହା ପୁତ୍ର ଆପଣ ଜାଣନ୍ତି ତ ? ତାଙ୍କୁ ବନ୍ଦୀରେ ରଖିବାଦ୍ୱାରା ନିଶ୍ଚୟ ଅନର୍ଥ ଘଟିବ ।

ବାଣା

-

ଅନର୍ଥ ଘଟୁ ଏହି ମୋର ମୂଳ ଉଦ୍ଦେଶ୍ୟ ।

ଦୂତ

-

 

ଗୀତକୃଷ୍ଣ ବଳରାମ            ଘେନି ଯଦୁ ସୈନ୍ୟ

ହୋଇଛନ୍ତି ରଣେ ସଜ । ୧ ।

ଶୀଘ୍ର ରଣବର୍ତ୍ତୀ,            ହୁଅ ଦୈତ୍ୟପତି

ବିଳମ୍ବରେ ନାହିଁ କାର୍ଯ୍ୟ । ୨ ।

 

 

-

ଦାନବ ରାଜ । ରାମକୃଷ୍ଣ ଯଦୁ ସେନା ସହ ଏହି ରାଜ୍ୟ ସୀମାରେ ଉପସ୍ଥିତ ହୋଇ ଆପଣଙ୍କ ସହିତ ଯୁଦ୍ଧ ଅଭିଳାଷ କରୁଛନ୍ତି । ଏ ପ୍ରତି ଶୀଘ୍ର ତତ୍ପର ହୁଅନ୍ତୁ, ନଚେତ୍ ଅନିରୁଦ୍ଧକୁ ବନ୍ଧନରୁ ମୁକ୍ତ କରି ଶ୍ରୀକୃଷ୍ଣଙ୍କ ନିକଟରେ କ୍ଷମା ଭିକ୍ଷା ମାଗନ୍ତୁ ।

ବାଣା

-

ଦୂତାଧମ । କେଡ଼େ ଦମ୍ଭେ କହୁ ବଢ଼ି କଥା ଜାଣୁ ମୋର ପରାକ୍ରମ କେତେ ?

 

-

ବର୍ବର । ମୁଁ ପୁଣି ମାଗିବି କ୍ଷମା ଗୋପାଳ ପିଲାରେ ?

ଦୂତ

-

ଦୈତ୍ୟରାଜା ସାମାନ୍ୟ ଗୋପାଳ ବୋଲି ଭାବିଛ ଯାହାକୁ, ସେହି ନିଶ୍ଚେ ନାରାୟଣ ଦୈତ୍ୟ ସଂହାରକ ।

ପୃଥିବୀର ପାପଭାରା ଉଶ୍ୱାସିବା ଆଶେ

କହ୍ନା ଅବତାର ହୋଇ ଜନ୍ମିଛନ୍ତି ମହୀ

ଯେବେ ଛାମୁ ଅନିରୁଦ୍ଧେ ନ କରିବେ ମୁକ୍ତ

ତେବେ ସ୍ୱର୍ଣ୍ଣମୟ ଦୈତ୍ୟପୁର ହେବ ଛାରଖାର

ଅଟଳ ପ୍ରତିଜ୍ଞା ବଦ୍ଧ ହୋଇଛନ୍ତି ପ୍ରଭୁ ।

 

ବାଣା

-

ମୂର୍ଖ ! ଛୋଟ ମୁଖେ କହୁ ବଡ଼ କଥା

କାର ଏପରି ଶକ୍ତି,

କାର ମୃତ୍ୟୁ ଆଜି ହୋଇଛି ଆସନ୍ନ

ବାଣା ସଙ୍ଗେ କରିବ ସେ ଯୁଦ୍ଧ ।

ଯାଅ ଶୀଘ୍ର ଜଣାଅ ସେ କୃଷ୍ଣେ

ବିଳମ୍ବରେ ନାହିଁ ପ୍ରୟୋଜନ । (ଦୂତ ପ୍ରସ୍ଥାନ)

(ପ୍ରହରୀ ପ୍ରତି) ପ୍ରହରୀ ! ରାଜ୍ୟ ମଧ୍ୟେ କରାଅ ଘୋଷଣା ଯୁଦ୍ଧ ଲାଗି ହୁଅନ୍ତୁ ପ୍ରସ୍ତୁତ ସର୍ବେ । (ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ

(ବିନ୍ଦିଆ ମା ଓ ବିନ୍ଦିଆ)

ବୁଢ଼ୀ

-

ଇରେ ବିନ୍ଦିଆ, ବିନ୍ଦିଆ ରେ ଏ ଯଦୁ ସେନାପତି ମାଡ଼ି ଆସିଲେ, ତୁ କୁଆଡ଼େ ଗଲୁରେ ବିନ୍ଦିଆ ।

ବିନ୍ଦିଆ

-

ମା ମା ! ମୁଁ ଏଇଠି ଅଛି, ତୁ ଚାଲିଆ ।

ବୁଢ଼ୀ

-

ଇରେ ତୁ ପଳାଇ ଆରେ ବିନ୍ଦିଆ, ଆଉ ସାଡ଼କୁ ଯାଆନା, ଆରେ ଅସୁର ପଲତ ମାଡ଼ି ଦଳିଦେଇ ଯିବେ ରେ ବିନ୍ଦିଆ !

ବିନ୍ଦିଆ

-

ମା ବାଣାସୁରର ହୁକୁମ, କି ପିଲା, କି ବୁଢ଼ୀ, କି ମାଇପେ ସମସ୍ତେ ଯୁଦ୍ଧକୁ ଯିବେ । ଯଦି ଏ ହୁକୁମ କିଏ ଅମାନ୍ୟ କରିବ ତା ବଂଶ ଶୂଳିରେ ବସିବେ ।

ବୁଢ଼ୀ

-

ଆରେ ଘରଦ୍ୱାର ସମ୍ପତ୍ତି ପଛେ ପୋଡ଼ି ଯାଉ ତୁ ଚାଲ କେଉଁଠିକି ପଳାଇବା । ଏ ଅସୁର କଣ ସତରେ ଯୁଦ୍ଧ କରିବ ? ତୁ ଆ ଆମୁ ଘରକୁ ପଳାଇବା ।

ବିନ୍ଦିଆ

-

ମା ! ଆମ ରାଜା କ’ଣ କମ କ୍ଷତ୍ରୀ ବୋଲି ଭାବିଛୁ ? ଆମ ରାଜା ସମସ୍ତଙ୍କୁ ହଟାଇ ଦେବେ ।

ବୁଢ଼ୀ

-

ଆରେ ତୁ କାଲିକା ନେହୁଣ୍ଡା ଜାଣିଛୁ କଣ, ମୁଁ ଶୁଣିଛି, କଂସ ପରା କ୍ଷତ୍ରୀ ସେ ରାମକୃଷ୍ଣକୁ ଦେଖୁ ଦେଖୁ ମଞ୍ଚାରୁ ପଡ଼ି ମଲା । ପୁଣି ଜରାସନ୍ଧ ଭଳିଆ କ୍ଷତ୍ରୀ ଯେଉଁ ଅବସ୍ଥା ଲଭିଲା, ମୁଁ କଣ କହିବି, ତୁ କଣ ବାଇଆ ହେଲୁ । ଏ ଅସୁର ବଂଶ ନିବଂଶ ହେବେ; ରକତ ନଦୀ ବୋହିଯିବ । ତୁ ପଳେଇ ଆ ।

ବିନ୍ଦିଆ

-

ମା । ଏଗୁଡ଼ାକ କିଏ ଆସୁଛନ୍ତି ?

ବୁଢ଼ୀ

-

ଇରେ ବିନ୍ଦିଆ, ସେଇରେ, ସେହି ମାଡ଼ି ତ ଆସିଲେ । ଇରେ କୁଆଡ଼କୁ ଯିବାରେ ।

 

ପଞ୍ଚମ ଅଙ୍କ

ପ୍ରଥମ ଦୃଶ୍ୟ

ବଳରାମ

-

ଅସୁର ସେନା ତ ସମସ୍ତେ ନିପାତ ହେଲେ, ବାଣା ! ଏଥର ତୋର ନିସ୍ତାର ନାହିଁ । ତୁ ଅହଙ୍କାରେ ମତ୍ତ ହୋଇ ରାମ କୃଷ୍ଣ ସହିତ ସଂଗ୍ରାମ କାମନା କଲୁ । ଏଥର କେ ରକ୍ଷା କରିବ ଦେଖିବି । ଏ କିଏ ଆସିଲା କି ପ୍ରଚଣ୍ଡ ମୂର୍ତ୍ତି, ହୁଁ ଶବ୍ଦଦ୍ୱାରା ମେଦିନୀକି କମ୍ପାଇ ଆସୁଛି । କିଏ ଏ, ମୁଁ ତ କିଛି ଠିକ କରିପାରୁନାହିଁ ।

ଶିବଜ୍ୱର

-

ରେ ପାଷାଣ୍ଡ ମୁହିଁ ଶିବଜ୍ୱର; ପାରିବୁ କି ବର୍ତ୍ତି ମୋହକରୁ ?

ବଳରାମ

-

ଓହୋ ବାଣା ତେବେ ବର୍ତ୍ତମାନ ଶିବଙ୍କ ଆଶ୍ରୟ ନେଇଛି, ଦେଖାଯାଉ, (ଜ୍ୱରପ୍ରତି) ରେ ଶିବଜ୍ୱର ତୁ ବଳଦେବ ହସ୍ତରେ ନିଶ୍ଚୟ ନିହତ ହେବୁ ।

ଜ୍ୱର

-

ମୋତେ ମାରିବୁ ! ହୋ, ହୋ, ହୋ, ଆ ଶୀଘ୍ର ଯୁଦ୍ଧକର ।

ବଳରାମ

-

ଆ ମୂର୍ଖ ! (ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

ପଦ୍ମନ

-

କିଏ ଏହି ବୀର ଦେଖୁ ଦେଖୁ ବଳଦେବ କଲା ପରାଜିତ ।

ଶିବଜ୍ୱର

-

ମୁହିଁ ମୁହିଁ ଚିହ୍ନିନାହୁଁ ମୋତେ, ମୁହିଁ ଶିବଜ୍ୱର ! ତୁ କିଏ ? ଦେ ପରିଚୟ ଶୀଘ୍ର ।

ପଦ୍ମନ

-

ମୁହିଁ କୃଷ୍ଣପୁତ୍ର ପଦ୍ମନ, ଜାଣୁ ମୋର ପରାକ୍ରମ ମୂର୍ଖ !

ଶିବଜ୍ୱର

-

ଆ, ଆ, ଦେଖିବି ଦେଖିବି ।

 

-

କେତେ ବୀର୍ଯ୍ୟ ତୋର କଳେବରେ ।

ପଦ୍ମନ

-

ମୋର ହସ୍ତେ ତୋର ମୃତ୍ୟୁ ଜାଣିଥାଅ ମୂର୍ଖ !

ଶିବଜ୍ୱର

-

ହାଃ ହାଃ ଆ ମୂର୍ଖ ଦେଖିବି ।

ପଦ୍ମନ

-

କର ତୋର ଇଷ୍ଟ ସୁମରଣ ।

 

-

( ଉଭୟଙ୍କ ଯୁଦ୍ଧ ପଦ୍ମନ ପତନ )

ଶିବଜ୍ୱର

-

ଏଥର ନିଷ୍ପତ୍ତି ହାଃ ହାଃ ହାଃ

(ଶ୍ରୀ କୃଷ୍ଣଙ୍କ ପ୍ରବେଶ ଜ୍ୱର ପ୍ରତି)

କିଏ ତୁରେ ପାଷାଣ୍ଡ !

ମୋର ବିଶ୍ୱଜୟୀ ଭ୍ରାତା ଓ ପୁତ୍ର କରିଲୁ ପରାସ୍ତ ?

ଜ୍ୱର

-

ତୁହି କିଏ ?

କୃଷ୍ଣ

-

ମୋର ନାମ ଜନାର୍ଦ୍ଦନ । ବାଣା ଦର୍ପହାରୀ ମୁହିଁ

ଜ୍ୱର

-

ହାଃ ହାଃ ହାଃ ତୁହି ବାଣା ଦର୍ପହାରୀ ?

ଆରେ, ତୋତେ ମୁହିଁ ଖୋଜୁଥିଲି ମୂର୍ଖ !

ଆସ ଆସ ଶୀଘ୍ର କର ଯୁଦ୍ଧ ।

କୃଷ୍ଣ

-

ଦୁରାତ୍ମା ! ମୋ ବିପକ୍ଷେ ତୁ କରିବୁ ରଣ । ଦେଖିବି ଏକ୍ଷଣି କେତେ ବଳବୀର୍ଯ୍ୟ ଅଛି ତୋର ଦେହେ ।

 

-

(ଉଭୟ ଯୁଦ୍ଧ କୃଷ୍ଣ ପରାସ୍ତ ହୋଇ)

କୃଷ୍ଣ

-

ଓହୋଃ, କି ଜ୍ୱାଳା ବୁଝିଲି ବୁଝିଲି ଏ ନିଶ୍ଚେ ଶିବଜ୍ୱର, ଏହା ହସ୍ତରୁ ମୋର ନିସ୍ତାର ନାହିଁ, ଆଉ ବିଳମ୍ବରେ କାର୍ଯ୍ୟ କଣ ଏ ମୁହୂର୍ତ୍ତରେ ବିଷ୍ଣୁଜ୍ୱର ସୃଷ୍ଟି କରିବି ।

 

-

(ଚକ୍ଷୁବୁଜି ଦଣ୍ଡାୟମାନ ବିଷ୍ଣୁଜ୍ୱର ପ୍ରବେଶ, କୃଷ୍ଣ ପ୍ରତି)

 

-

ଦୟାମୟ ! କି କାରଣେ ସୃଜିଲେ କିଙ୍କରେ, କିବା ତବ ଅଭିଳାଷ କରିବି ପୂରଣ ।

ଶ୍ରୀକୃଷ୍ଣ

-

ଶୁଣ ବତ୍ସ ! ଏହି ଶିବଜ୍ୱର

ଆତ୍ମୀୟ ସ୍ୱଜନେ ମୋର ଦେଲା ବହୁ କଷ୍ଟ

ଏକ୍ଷଣେ କରେ ମୋତେ ଆକ୍ରମଣ, କରି ନପାରଇ

ମୁଁ ଅନ୍ୟ ପ୍ରତିକାର, ସୁମରଣ କରିଲଇଁ ତୋତେ ।

ବିଷ୍ଣୁଜ୍ୱର

-

ଏହି ଛାରକଥା, ଏହିକ୍ଷଣି ମୁଁ ଶିବଜ୍ୱର ଦର୍ପ ଚୂର୍ଣ୍ଣ କରିବି, କାହିଁ ସେ ପାଷାଣ୍ଡ ?

ଶିବଜ୍ୱର

-

ରେ ଏହି ଶିବଜ୍ୱର !

ବିଷ୍ଣୁଜ୍ୱର

-

ତୁହି ମୂର୍ଖ ହୁଅରେ ପ୍ରସ୍ତୁତ ରଣେ ।

 

-

(ଯୁଦ୍ଧରେ ଶିବଜ୍ୱର ପତନ)

ଶିବଜ୍ୱର

-

ରକ୍ଷାକର ଜନାର୍ଦ୍ଦନ ! ଚିହ୍ନିଲି ଚିହ୍ନିଲି ପ୍ରଭୁ ନ ଜାଣି ମୁଁ କରିଅଛି ଦୋଷ, କ୍ଷମାକର ପୀତବାସ ମୋତେ ।

କୃଷ୍ଣ

-

ଛାଡ଼ିଦିଅ ମୂର୍ଖେ !

 

-

(ବିଷ୍ଣୁଜ୍ୱର ପ୍ରତି) ଯାଅ ତୋର ନିଜ ସ୍ଥାନେ ମୁଁ ଯାଉଛି ସମସ୍ତଙ୍କୁ ଚେତନା ଦାନ କରିବି ।

ବିଷ୍ଣୁଜ୍ୱର

-

ହଉ ପ୍ରଭୁ ! [ପ୍ରସ୍ଥାନ]

 

ତୃତୀୟ ଦୃଶ୍ୟ

ବାଣା

-

ଏ କ’ଣ ହେଲା ! ଦେଖୁ ଦେଖୁ ମୋର ସମସ୍ତ ଯୋଦ୍ଧା ବିନଷ୍ଟ ହୋଇଗଲେ । ଓହୋଃ, ଏତେଦିନେ ମୋର ଗୁରୁଦେବ ସଦାଶିବଙ୍କ କଥା ସ୍ମରଣ ହେଲା । ସେ ମୋତେ କହିଥିଲେ ତୋତେ ଅଳ୍ପଦିନ ମଧ୍ୟରେ ସମାସ୍କନ୍ଦ ଯୋଦ୍ଧା ମିଳିବ, ବର୍ତ୍ତମାନ ସେହି କଥା ସତ୍ୟ ଘଟିଲା ।

ଶ୍ରୀକୃଷ୍ଣ

-

-ବାଣା ! ଆଜି ତୋର ନିସ୍ତାର ନାହିଁ । ନିଶ୍ଚୟ ତୋର ସହସ୍ର ବାହୁ ଚ୍ଛେଦନ କରି ତୋ ପିଣ୍ଡ ଶ୍ୱାନ ଶୃଗାଳଙ୍କୁ ଭୁଞ୍ଜାଇବି ମୂର୍ଖ । ଆଜି ଯଦି ସ୍ୱୟଂ ଶିବ ତୋ ସପକ୍ଷରେ ଅସ୍ତ୍ରଧାରଣ କରନ୍ତି ତେବେ ସୁଦ୍ଧା ତୋର ରକ୍ଷା ନାହିଁ ।

ବାଣା

-

ଗୀତ

ଆରେ ରେ ଅନୁଜ୍ଞା            ଗୋପାଳ ନନ୍ଦନ

କପାଳ ତୋ ଫାଟିଲାଣି ଆଜି ।

କାଟିବି ତୋ ଶିର            ଲମ୍ପଟ ବର୍ବର

କଲୁଣିଟି ବଡ଼ ମନ୍ଦକାର୍ଯ୍ୟ । ପଦ ।

 

ଗଉଡ଼ୁଣୀ ମାଡ଼-            ଖିଆ ତୁ ଧିଟୁଆ

ମୁଖେ ନାହିଁ ତୋର ଟିକେ ଲାଜ ।

ମୋହ କରୁ ବର୍ତ୍ତି-            ଯିବୁ କି ଶ୍ରୀପତି

ଦେଖିବି ତୋ ହୃଦେ କେତେ ତେଜ । ୧ ।

 

 

-

ପାଷାଣ୍ଡ ! ଯଦୁକୁଳ କୁଳାଙ୍ଗାର, ଶୀଘ୍ର ପ୍ରସ୍ତୁତ ହୁଅ ।

କୃଷ୍ଣ

-

ମୂର୍ଖ ! ପ୍ରସ୍ତୁତ ମୁଁ ।

 

-

(ବାଣାର ପତନ ଓ ଦୁର୍ଗା ସ୍ମରଣ, ଦୁର୍ଗା ପ୍ରବେଶ)

ଦୁର୍ଗା

-

ଗୋବିନ୍ଦ ! ରକ୍ଷାକର ମୋର ବରପୁତ୍ରେ ।

କୃଷ୍ଣ

-

ଜନନୀ ! କିପାଁ ଦିଅ ମୋତେ ବାଧା, ନିଶ୍ଚେ ମୁହିଁ ବାଣା ବଧି ଅନିରୁଦ୍ଧେ କରିବି ଉଦ୍ଧାର ।

ଦୁର୍ଗା

-

ବାଣା ! ବର୍ତ୍ତମାନ କ୍ଷମା ମାଗ, ଶ୍ରୀକୃଷ୍ଣରେ, ନଚେତ୍ ମନ୍ଦ ଫଳ ଘଟିବ ତୋହର ।

ବାଣା

-

ମା, ପ୍ରାଣ ପଛେ ଯାଉ, କ୍ଷମା ନ ମାଗିବି କାରେ ।

ଦୁର୍ଗା

-

କର ଯୁଦ୍ଧ ଦୁହେଁ ।

 

-

(ଉଭୟ ଯୁଦ୍ଧ, ବାଣା ପତନ ଓ କୃଷ୍ଣ ଚକ୍ର ସ୍ମରଣ)

ଦୁର୍ଗା

-

ବତ୍ସ ଜନାର୍ଦ୍ଦନ ! କ୍ଷାନ୍ତ ହୁଅ । ବାଣାର ପ୍ରାଣ ବିନାଶ କରନା; ଏତିକି ମାତ୍ର ମୋର ଭିକ୍ଷା ।

ଶ୍ରୀକୃଷ୍ଣ

-

ମା ! ତୁମ୍ଭର ଅନୁରୋଧ ରକ୍ଷା କରିପାରେ ସତ୍ୟ କିନ୍ତୁ ତାର ସହସ୍ର ବାହୁ ଛେଦନ କରି ସମ୍ପୂର୍ଣ୍ଣ ରୂପେ ଗର୍ବ ଖର୍ବ କରିବି ।

ଦୁର୍ଗା

-

କେଶବ ! ମୋର ଅନୁରୋଧ, ବାଣାର ଚାରୋଟି ବାହୁ ରଖ । ସେ ପରା ମୋର ବରପୁତ୍ର, ନିଶ୍ଚୟ ସେ ତୋର ଅଧୀନତା ସ୍ୱୀକାର କରିବ ।

କୃଷ୍ଣ

-

ହଉ ମା । (ତଥାକରଣ)

ବାଣା

-

ଆହା ! ଏହିବାର ବାଣା ଅପଦାର୍ଥ, ଏତେଦିନେ ମୋର ଅହଂକାରର ସମୁଚିତ ଦଣ୍ଡ ଲାଭ କଲି । ମଧୁସୂଦନ ମୋତେ କ୍ଷମା ଦିଅ ।

କୃଷ୍ଣ

-

(ହସ୍ତ ଧାରଣ କରି) ଉଠ ବୀର ।

ବାଣା

-

ମା ଦୁର୍ଗେ ! ମୋର ପ୍ରାର୍ଥନା ଶ୍ରୀକୃଷ୍ଣ ଓ ରୁକ୍ମିଣୀ ଆଉ ହରଗୌରୀ ଏକତ୍ର ମିଳନ ଦେଖି ଏ ପାପ ନେତ୍ର ପବିତ୍ର କରିବି ଓ ମୋର ଉଷାକୁ ସେହି ସ୍ଥାନରେ ଅନିରୁଦ୍ଧ ହସ୍ତରେ ଅର୍ପଣ କରିବି ଏକମାତ୍ର କାମନା ।

ଦୁର୍ଗା

-

କୃଷ୍ଣ ! ଭକ୍ତର ବାଞ୍ଛା ପୂର୍ଣ୍ଣକର । (ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ

 

-

(ଶ୍ରୀକୃଷ୍ଣ, ରୁକ୍ମିଣୀ, ଦୁର୍ଗା, ଶିବ, ବଳରାମ, ବାଣା ଅନିରୁଦ୍ଧ, ଉଷା, ପଦ୍ମନ ଓ ନର୍ତ୍ତକୀଗଣ)

ଶ୍ରୀକୃଷ୍ଣ

-

ଦେବୀ ! ଆଜି ବଡ଼ ଭାଗ୍ୟର ମିଳନ !

ରୁକ୍ମିଣୀ

-

ନାଥ ! ଆପଣଙ୍କର ମାୟାର ଅନ୍ତ ମୁଁ ଛାର କ’ଣ ପାଇବି ?

ଶ୍ରୀକୃଷ୍ଣ

-

ପ୍ରିୟେ ! ଆଜି ଅପୂର୍ବ ହରିହର ମିଳନରେ ଉଷା ଓ ଅନିରୁଦ୍ଧର ଶୁଭପରିଣୟ ହେବ ।

ରୁକ୍ମିଣୀ

-

ବଡ଼ ଭାଗ୍ୟର କଥା ।

 

-

[ଶିବ ପାର୍ବତୀ ଓ କୃଷ୍ଣ ରୁକ୍ମିଣୀ ପ୍ରବେଶ]

 

-

କୃଷ୍ଣ ଶିବଙ୍କୁ କୋଳାଗ୍ରତ କରି

 

-

ପାର୍ବତୀଙ୍କୁ ୠକ୍ମିଣୀ ଧରିନେଇ            ଆହା କି ଆନନ୍ଦ ଦିନ

ବାଣା

-

ଉଷା ଓ ଅନିରୁଦ୍ଧକୁ ଘେନି

 

-

(ଉଷାକୁ ଧରି) ପ୍ରଭୁ ! ଏ ଦାସର ସମସ୍ତ ତ୍ରୁଟି ମାର୍ଜନା କରନ୍ତୁ । ଆଜି ଏ ଶୁଭମିଳନରେ ମୋର କନ୍ୟା ଉଷାକୁ ଅନିରୁଦ୍ଧ ହସ୍ତରେ ଅର୍ପଣ କଲି । (ଅନିରୁଦ୍ଧ ପ୍ରତି) ବାପ ! ପଛ କଥା ପାସୋରି ପକା । ମୁଁ ଅଜ୍ଞାନ ଅନ୍ଧକାରେ ମୋହ ଥିଲି ।

 

-

[ ଶିବ ଓ କୃଷ୍ଣଙ୍କର ଧନ୍ୟବାଦ ]